ମାସୁଦ ଆଝାର ମାମଲାକୁ ନେଇ ଆମେରିକା-ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ : ପାକିସ୍ତାନରେ ରହୁଥିବା ଆତଙ୍କବାଦୀ ମାସୁଦ ଆଜାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ସବୁପ୍ରକାରର ପଦକ୍ଷେପ ନିଆଯିବ ବୋଲି ଆଜି ଆମେରିକା କହିବା ପରେ ଚୀନ କ୍ଷୁବ୍ଧ ହୋଇଛି । ଏହା ପ୍ରସଙ୍ଗକୁ ଅଧିକ ଜଟିଳ କରିବ ଓ ଏହା ଦ୍ୱାରା ଦକ୍ଷିଣ ଏସିଆରେ ଶାନ୍ତିପ୍ରକ୍ରିୟା ପ୍ରଭାବିତ ହେବ ବୋଲି ଚୀନ କହିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜେଙ୍ଗ ସୁଆଂ କହିଛନ୍ତି ଯେ ମାସୁଦ ପ୍ରସଙ୍ଗରେ ଚୀନ ଏକ ଗଠନମୂଳକ ଆଭିମୂଖ୍ୟ ଗ୍ରହଣ କରୁଛି । ଏ ପ୍ରସଙ୍ଗରେ ସବୁ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ଓ ସେଥିରେ କେତେକ ଉଲ୍ଲେଖନୀୟ ସକାରାତ୍ମକ ଅଗ୍ରଗତି ହୋଇଛି । ଏହା ଆମେରିକା ମଧ୍ୟ ଜାଣିଛି । ଏହା ସତ୍ତ୍ୱେ ଆମେରିକା ଜାତିସଂଘର ୧୨୬୭ ଟେରର ପ୍ୟାନଲକୁ ଏଡେଇ ସିଧାସଳଖ ନିରାପତ୍ତା ପରିଷଦକୁ ଯିବା ସ୍ଥିତିକୁ ଜଟିଳ କରିବ । ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଯେତେ ଥର ଉଦ୍ୟମ ହୋଇଛି ସବୁଥର ଚୀନ ସେଥିରେ ବିଭିନ୍ନ କାରଣ ଦେଖାଇ ପ୍ରତିବନ୍ଧକ ସୃଷ୍ଟି କରୁଛି । ମାସୁଦକୁ ୧୨୬୭ ଆଲ କାଇଦା କଟକଣା ତାଲିକାରେ ସାମିଲ କରିବାକୁ ମାର୍ଚ୍ଚ ୨୭ରେ ଫ୍ରାନ୍ସ ଆଣିଥିବା ପ୍ରସ୍ତାବକୁ ମଧ୍ୟ ଚୀନ ବିଫଳ କରିଦେଇଥିଲା । ଗତ ସପ୍ତାହରେ ଆମେରିକା ନିରାପତ୍ତା ପରିଷଦରେ ଏହି ଚିଠା ପ୍ରସ୍ତାବ ଆଗତ କରିଛି ।