ଚିଲିକା ଡଙ୍ଗାବୁଡି ଘଟଣା : ଚେତିଲା ପ୍ରଶାସନ,ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଚିଲିକା ଡଙ୍ଗାବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ । ଅଘଟଣର ତଦନ୍ତ କରିବେ ଜଳ ପରିବହନ ନିର୍ଦ୍ଦେଶକ । ତିନୋଟି ଦିଗରେ ହେବ ତଦନ୍ତ । ଗତ ଶନିବାର ଚିଲିକାରେ ଡଙ୍ଗାବୁଡ଼ି ପ୍ରାଣ ହରାଇଥିଲେ ୬ ଯାତ୍ରୀ । କାଳିଜାଇରୁ ଦର୍ଶନ ସାରି ଗୋଟିଏ ଡଙ୍ଗାରେ ୧୬ ଜଣ ଫେରୁଥିଲେ । ଅଧାବାଟରେ ଭୟଙ୍କର ଝଡ଼ ତୋଫାନରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାର ଲାଇସେନ୍ସ , ପଞ୍ଜିକରଣ ସହିତ ଲାଇଫ ଜ୍ୟାକେଟ ବ୍ୟବସ୍ଥା ନେଇ ତଦନ୍ତ ହେବ । ପ୍ରତିଦିନ ଚିଲିକାରେ ଅସୁରକ୍ଷିତ ଭାବେ ହଜାର ହଜାର ଯାତ୍ରୀ ନୌଯାତ୍ରା କରୁଛନ୍ତି । କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ସରକାରଙ୍କ ପକ୍ଷରୁ ନିୟମିତ ଯାଞ୍ଚ ହେଉନଥିବା ଅଭିଯୋଗ ହେଉଛି । ଏଭଳି ଅବହେଳା ଯୋଗୁଁ ବାରମ୍ବାର ଅଘଟଣ ଘଟୁଛି । ମୃତ୍ୟୁ ମୁହଁକୁ ଠେଲି ହୋଇଯାଉଛି ଅନେକ ଜୀବନ ।  ଲାଇଫ ଜ୍ୟାକେଟ ଭଳି ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥାକୁ ବି ଆଖିବୁଜି ଦେଉଛନ୍ତି ଡଙ୍ଗା  ଚାଳକ । ଏହାସତ୍ବେ ସ୍ଥାନୀୟ ପ୍ରଶାସନ ନିୟମିତ ତଦାରଖ କରୁନହିଁ । ଅଘଟଣ ପରେ ହିଁ ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନ ସକ୍ରିୟ ହୋଇ ଯାଉଛି । ଗତ ଦେଢ ବର୍ଷ ତଳେ ଚିଲିକାରେ ଘଟିଥିବା ଡଙ୍ଗା ଦୁର୍ଘଟଣା ପରେ ତନାଘନା ହୋଇଥିଲା । କିନ୍ତୁ ପରେ ପୁଣି ଯେଉଁ କଥାକୁ ସେହି କଥା । ଯାହା ଶନିବାର ଦେଖିବାକୁ ମିଳିଛି । ଏବେବି ବିନା ଲାଇସେନସ, ବିନା ବୀମା ଏବଂ ବିନା ଲାଇଫ ଜ୍ୟାକେଟ୍ ରେ ବିପଦପୂର୍ଣ୍ଣ ସ୍ଥିତିରେ ଶହ ଶହ ଡଙ୍ଗା ଚାଲିଛି ।

ସେପଟେ ଚିଲିକା ଡଙ୍ଗାବୁଡି ଘଟଣାରେ ୬ଜଣଙ୍କର ମୃତ୍ୟୁ ପରେ ଚେତିଲା ପ୍ରଶାସନ । ଆଜି ବାଲୁଗାଁରୁ କାଳିଜାଇକୁ ଚାଲିଥିବା ସବୁ ଘରୋଇ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଏଥି ସହ ଯାତ୍ରୀ ପରିବହନ କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି । ଅପରାହ୍ନ ୩ଟା ପରେ ଚିଲିକାକୁ ଯାତ୍ରୀ ପରିବହନ ନିଷିଦ୍ଧ କରାଯାଇଛି । ପ୍ରତି ଡଙ୍ଗାରେ ୧୦ ଜଣ ଲେଖାଏଁ ଯାତ୍ରୀ ଯିବେ । ଏଥି ସହ ପ୍ରତ୍ୟେକ ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ ଆବଶ୍ୟକୀୟ ଲାଇଫ୍ ଜ୍ୟାକେଟ୍ । ଓଭରଲୋଡ୍ କରି ଯାତ୍ରୀ ନନେବା, ନିୟମ ମୁତାବକ ଡଙ୍ଗା ମାଲିକ ପଞ୍ଜିକରଣ ଓ ବୀମାଭୁକ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବାଲୁଗାଁ ପୋଲିସ ଡଙ୍ଗା ମାଲିକ ବସନ୍ତ ବେହେରାକୁ ଗିରଫ କରିଛି । ବିନା ଲାଇସେନ୍ସରେ ଚିଲିକାରେ ଚାଲିଛି ହଜାର ହଜାର ଡଙ୍ଗା ଓ ବୋଟ୍ । ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ବି ନାହିଁ । ଶନିବାର ସଂଧ୍ୟାରେ କାଳିଜାଇରୁ ଦର୍ଶନ ସାରି ଗୋଟିଏ ଡଙ୍ଗାରେ ୧୬ ଜଣ ଫେରୁଥିଲେ । ଅଧାବାଟରେ ଭୟଙ୍କର ଝଡ଼ ତୋଫାନରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାବୁଡି ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ୩ଜଣହ୍କର ଅବସ୍ଥା ଗୁରୁତର ରହିଛି ।