ବଢୁଛି ରାଜନୀତି, ଚିଲିକାରୁ ଉଡିବତ ସିପ୍ଲେନ ?

ଭୁବନେଶ୍ବର : ଚିଲିକାରୁ ସି-ପ୍ଲେନ ଉଡ଼ିବା ନେଇ ସନ୍ଦେହ । ଏହା ହେଲେ ଫାଇଦା କଣ ହେବ, କ୍ଷତି କଣ ହେବ ସେନେଇ ଆକଳନ ହୋଇନି । ତାର ବିଧିବଦ୍ଧ ରିପୋର୍ଟ ବି କେନ୍ଦ୍ର ସରକାର, ରାଜ୍ୟକୁ ଦେଇ ନାହାନ୍ତି । ହେଲେ ଚିଲିକାରେ ୱାଟର୍ ଏରୋଡ୍ରମ୍ ହେବ ବୋଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଶୁଣୁ ଶୁଣୁ ବିରୋଧ ଆରମ୍ଭ କରିଦେଇଛି ବିଜେଡି । ଦେଶର 3ଟି ରାଜ୍ୟରେ ୱାଟର୍ ଏରୋଡ୍ରମ ହେବ ବୋଲି ଘୋଷଣା ହୋଇଛି । ଯାହା ଭିତରେ ଚିଲିକା ଅଛି । କିନ୍ତୁ ଆରମ୍ଭରୁ କେଁ ଆରମ୍ଭ ହୋଇଗଲାଣି । ରାଜନୀତି ବି କିଛି କମ୍ ହେଉନି । …

ବିବାଦରେ ଚିଲିକା ଓାଟର ଏରୋଡ୍ରମ ପ୍ରସ୍ତାବ । କାଲି ସ୍ଥାନୀୟ ବିଜେଡି ନେତାଏ ଏହାକୁ ବିରୋଧ କରିବାକୁ କହିଥିଲେ । କିନ୍ତୁ ଆଜି ଦଳ ବିରୋଧର ସଙ୍କେତ ଦେଇଛି । ବିଜେଡିର କହିବା କଥା, ଚିଲିକାରୁ ସି-ପ୍ଲେନ ଉଡ଼ିଲେ ପରିବେଶ ଓ ଜୈବ ବିବିଧତା ଉପରେ କି ପ୍ରଭାବ ପଡ଼ିବ ତା ଉପରେ ପ୍ରଥମେ ଅନୁଧ୍ୟାନ କରାଯାଉ । ଏନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ପୂରା ରିପୋର୍ଟ ଦେଉ । ତାପରେ ହିଁ ଦଳ ତାର ନିଷ୍ପତ୍ତି ଶୁଣାଇବ । ସେପଟେ ଚିଲିକା ମତ୍ସ୍ୟଜୀବୀ ମହାସଂଘ ମଧ୍ୟ ବିରୋଧ କରିବ ବୋଲି କହିଲାଣି ।

ଚିଲିକାରେ ସି-ଏରୋଡ୍ରମ୍ ପାଇଁ ପିଜିବିଲିଟି ଷ୍ଟଡି କରିବାକୁ ଜଣେ ନୋଡାଲ୍ ଅଫିସର୍ ନିଯୁକ୍ତ କରିବାକୁ ଗତ ଜୁନ ମାସରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ମଧ୍ୟ ସି-ପ୍ଲେନ୍ ଉଡ଼ାଇବାକୁ ଆଗ୍ରହୀ ଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଯେଉଁ ଆଧାରରେ ସାଧାରଣ ପ୍ରଶାସନ ବିଭାଗ, ପର୍ଯ୍ୟଟନ ବିଭାଗର ମତାମତ ଲୋଡ଼ିଛି । ଏହା ଭିତରେ ଚିଲିକା ଉନ୍ନୟନ କତୃପକ୍ଷ ସରକାରଙ୍କୁ ଏକ ରିପୋର୍ଟ ଦେଇ ସାରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଘୋଷଣା ପରେ ସୃଷ୍ଟି ହୋଇଛି ବିବାଦ । ଯାହାକୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ପ୍ରସ୍ନ ଉଠାଇଛନ୍ତି ବିଜେପି ଓ କଂଗ୍ରେସ ।

ଜୈବ ବିବିଧତାରେ ଚିଲିକା ପରିପୂର୍ଣ । ଶହଶହ ପ୍ରଜାତିର ମାଛ ଓ ଶତାଧିକ ଇରାୱାଡ଼ି ଡଲଫିନଙ୍କ ବାସସ୍ଥଳୀ ଚିଲିକା । ପୁଣି ତାହା ଉପରେ ନିର୍ଭର କରୁଛନ୍ତି ଦେଢ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ । ସି-ପ୍ଲେନ ଉଡିଲେ ପକ୍ଷୀ ଅଭୟାରଣ୍ୟ ନଳବଣ ଉପରେ ପ୍ରଭାବ ପଡିବା ସମ୍ଭାବନା ମଧ୍ୟ ରହୁଛି ।