ଜେଲଗଲେ ବାହୁବଳୀ ବିଧାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର : ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ଖୋର୍ଦ୍ଧା କୋର୍ଟରେ କରିଥିବା ଜାମିନ୍ ଆବେଦନ ଖାରଜ ପରେ ଚିଲିକା ବିଧାୟକଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ୍ ଖାରଜ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି କୋର୍ଟରେ ଜଗଦେବ ଆତ୍ମସମର୍ପଣ କରିଥିଲେ।

ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମ ସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ । ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ଠିକ୍ ମାସକ ତଳେ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି କେସ୍ ଖାଇବା ପରେ ଫେରାର ହୋଇଯାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ହାଜର ହୋଇ ଜାମିନ୍ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଅପରାଧିକ କାର୍ଯ୍ୟ କରି ତତକ୍ଷଣାତ୍ ବିଜେଡ଼ିରୁ ନିଲମ୍ବନ ହୋଇଥିବା ଏହି ବାହୁବଳୀ ବିଧାୟକ ଏବେ ଜେଲ୍ ର ଚାରିକାନ୍ଥରେ ସମୟ କାଟିବେ । ସେପ୍େଟମ୍ବର ୮ ତାରିଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବାଲୁଗାଁ ଯାଇଥିଲା ବେଳେ ତାଙ୍କୁ ବିରୋଧ କରୁଥିବା ବିଜେପିର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ଉପରେ ପିଟିଥିଲେ । ଏହାର ଭିଡ଼ିଓ ଭାଇରାଲ୍ ହୋଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆକ୍ରମଣର ଶିକାର ହୋଇଥିବା ଶ୍ରୀ ସେଠୀ ବାଲୁଗାଁ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ସେ ଦଳିତ ବର୍ଗର ହୋଇଥିବାରୁ ପୁଲିସ ହତ୍ୟା ଉଦ୍ୟମ ସମେତ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଥିଲା । ମାତ୍ର ବିଧାୟକଙ୍କୁ ଗିରଫ କରିବାରେ ସଫଳ ହୋଇ ନ ଥିଲା ।
ସେପଟେ ଦଳୀୟ ବିଧାୟକଙ୍କ ଏତାଦୃଶ କାର୍ଯ୍ୟ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷୁବ୍ଧ କରିଥିଲା । ଘଟଣା ଘଟିବାର କିଛି ସମୟ ମଧ୍ୟରେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ସେ ଯିଏ ହୁଅନ୍ତୁ ନା କାହିଁକି, ଅପରାଧ କାର୍ଯ୍ୟକଳାପରେ ସଂପୃକ୍ତ କାହାରିକୁ ସୁରକ୍ଷା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାନୁଷ୍ଠାନ ଜରିଆରେ ଜଣାଇ ଦେଇଥିଲେ । ବିଜେଡ଼ିରୁ ନିଲମ୍ବିତ ବିଧାୟକ ଶ୍ରୀ ଜଗଦ୍ଦେବ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଡରି ସେବେଠାରୁ ଫେରାର ହୋଇଯାଇଥିଲେ । ଇତିମଧ୍ୟରେ ଆଗୁଆ ଜାମିନ୍ ଆଣିବା ପାଇଁ ନିଜ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ । ଆଗୁଆ ଜାମିନ୍ ନ ନେଇ ତଳ କୋର୍ଟ ଯାଅ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାୟକ ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ନିଜେ ହାଜର ହୋଇ ଜାମିନ୍ ଆବେଦନ କରିଥିଲେ । ମାତ୍ର କୋର୍ଟ ଏହି ଆବେଦନକୁ ଗ୍ରହଣ କରି ନ ଥିଲେ ।