ଆଜି ଶିଶୁ ଦିବସ

ଭୁବନେଶ୍ଵର:ଆଜି ଶିଶୁ ଦିବସ। ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ଆତ୍ମାଙ୍କର ୧୩୦ତମ ପୁଣ୍ୟ ଜୟନ୍ତୀ । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ। ଏହା ପରଠାରୁ ଦେଶର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଉଛି।  

୧୮୮୯ ମସିହା ନଭେମ୍ବର ୧୪ରେ ଜନ୍ମଗ୍ରହଣ କରଥିବା ନେହେରୁ ବିଦେଶରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ଦେଶପ୍ରତି ତାଙ୍କର ଅଗାଧ ପ୍ରେମ ରହିଥିଲା । ଲଣ୍ଡନରୁ ଆଇନ ଶିକ୍ଷା ସମାପ୍ତ କରିବା ପରେ ପିତାଙ୍କ ପରି ସେ ଆଇନକୁ ତାଙ୍କର ପେଷା ଭାବରେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ସେ ସମୟର ପରାଧୀନ ଭାରତ ପ୍ରତି ତାଙ୍କ ମନ ସବୁବେଳେ ଆନ୍ଦୋଳିତ ହେଉଥିଲା । ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ଅନେକ ଥର କ।ରାବାରଣ କରିଥିଲେ । ସେ ଜଣେ ଉଚ୍ଚକୋଟୀର ଆଇନଜ୍ଞ ସାଂଗକୁ ଜଣେ ରଷ୍ଟ୍ରନୀତିଜ୍ଞ ଭାବରେ ବେଶ ଜଣାଶୁଣା ।

ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ । 

ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା ।  ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।