ଅଧାରୁ ଭାଙ୍ଗିଲା ବାହାଘର; ବର ହେଲେ ଶିଶୁପାଳ

ବାଲେଶ୍ୱର: ଦୁଇଜଣ ବାହାଘର ହୋଇ ବସାଇଥାନ୍ତେ ସୁଖର ଜୀବନ । ଯାହା ନେଇ ଉଭୟ ଦେଖୁଥିଲେ ସ୍ୱପ୍ନ । ମାତ୍ର ଏହି ସ୍ୱପ୍ନ ଅଧାବାଟରେ ରହିଗଲା । ବାହାଘର ପାଇଁ ବର ବାଜା ବଜାଇ ରୋଷଣି ଧରି ବିବାହ କରିବାକୁ ଆସୁଥିଲା ବର । ମାତ୍ର ବାହାଘର ଭାଙ୍ଗିଗଲା, ଫଳରେ ବର ସାଜିଲା ଶିଶୁପାଳ । କନ୍ୟା ନାବାଳିକା ଥିବା କାରଣରୁ ଏଭଳି ଘଟଣା ଘଟିଛି । ତେବେ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ଗାଁରେ ।

ସୂଚନା ଅନୁସାରେ, ବାହାନଗା ବ୍ଲକ୍‌ର ଜଣେ ନାବାଳିକାଙ୍କ ସହ ଡାଲଙ୍ଗ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିବାହ ହୋଇଥାନ୍ତା। ହେଲେ ଝିଅଟି ନାବାଳିକା ହୋଇଥିବାରୁ ବିବାହ ହୋଇପାରିନାହିଁ। ଝିଅକୁ ୧୮ ବର୍ଷ ହେବାକୁ ଆଉ ମାସେ ଦୁଇ ମାସ ବାକି ଅଛି। ତେଣୁ ଏହା ପୂର୍ବରୁ ବିବାହ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ଚାଇଲ୍ଡ ଲାଇନ୍ କର୍ମକର୍ତା। ଏହାପରେ ସେମାନେ ପୁଲିସ୍‌ ସହାୟତାରେ କନିଆ ଘରେ ପହଂଚିଥିଲେ।  ଝିଅର ବୟସ ୧୮ ବର୍ଷ ହୋଇନଥିବାରୁ ବାହାଘର ଏବେ ନ କରାଇବାକୁ ଚାଇଲ୍ଡ ଲାଇନ୍ ଝିଅର ବାପାକୁ ବୁଝାଇଥିଲେ। ଝିଅ ଘର ଲୋକେ ନିଜ ଭୁଲ୍‌ ହୃଦୟଙ୍ଗମ କରି ବାହାଘର ଅଧାରୁ ବନ୍ଦ କରିଦେଇଥିଲେ।

ଅନ୍ୟପକ୍ଷରେ, ଗତକାଲି ରାତିରେ ପ୍ରୋସେସନ୍‌ କରି ବିବାହ ସ୍ଥଳକୁ ଆସୁଥିବା ବର ଓ ବରଯାତ୍ରୀମାନେ ଗୋପାଳପୁର ବଜାରରେ ପହଂଚିଥିଲେ। ହେଲେ ସେଠାରେ ପୋଲିସକୁ ଦେଖିବା ପରେ ଛାନିଆ ହୋଇ ଫେରି ଯାଇଥିଲେ।