ଟିକା ଦେବାକୁ କହି ମେଡିକାଲରୁ ଶିଶୁ ଚୋରୀ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଗୋଟିଏ ୨ ଦିନର ଶିଶୁକନ୍ୟାକୁ ଜଣେ ଯୁବତୀ ଟିକା ଦେବା ବାହାନାରେ ନେଇ ଚମ୍ପଟ ମାରିଛି । ପରିବାର ଲୋକେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାମ୍ସା ଗ୍ରାମର ଜ୍ୟୋତି ନାହାକ ଏକ ଶିଶୁକନ୍ୟା ଜନ୍ମ ଦେଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜ୍ୟୋତିଙ୍କ ନିକଟରେ ତାଙ୍କ ମା’ ଗୁରୁବାରୀ ଉପସ୍ଥିତ ଥିଲେ । ଜଣେ ଯୁବତୀ ଗୁରୁବାରୀଙ୍କୁ କହିଥିଲେ, ଛୁଆକୁ ଟିକା ଦେବାକୁ ନେବାକୁ ପଡ଼ିବ । ଗୁରୁବାରୀ କିଛି ନ ଜାଣି ଶିଶୁକୁ ନେଇ ମେଡିକାଲ ପରିସରର ଟିକା କେନ୍ଦ୍ରକୁ ଯାଇଥିଲେ । ଗୁରୁବାରୀ ଶିଶୁକୁ ଧରି ଟିକା କେନ୍ଦ୍ରକୁ ଯାଉଥିବା ବେଳେ ଯୁବତୀ ଜଣକ ତାଙ୍କୁ ଟିକା ଦେବା ପାଇଁ ଟିକଟ କରିବାକୁ କହିଥିଲେ । ସେହି ସମୟରେ ଶିଶୁକୁ ଗୁରୁବାରୀ ଅଚିହ୍ନା ଯୁବତୀଙ୍କ ହାତରେ ଧରାଇ ଟିକେଟ ପାଇଁ ଯାଇଥିଲେ । ଏହାରି ସୁଯୋଗରେ ଯୁବତୀ ଜଣକ ଶିଶୁକନ୍ୟାକୁ ନେଇ ଚମ୍ପଟ ମାରିଥିଲେ ।