ଶିଶୁର ଦର କେଇ ଖଣ୍ଡ ଶାଢୀ ଆଉ ହଜାରେ ଟଙ୍କା

କେନ୍ଦୁଝର : ଶିଶୁର ଦର ହଜାରେ ଟଙ୍କା ଓ ଖଣ୍ଡେ ଶାଢୀ । ଦିରିଦ୍ରର ତାଡନା ଏତେ ଯେ ଯାହାକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେିଥିଲା ସେଇ ଶିଶୁକୁ ବିକ୍ରି କରିବାକୁ ପଛାଇଲାନି ମା । ନିଜ ମମତାକୁ ଭୁଲି କେଇଟା ଟଙ୍କା ପାଇଁ ନିଜ ପିଲାକୁ ପର ହାତରେ ଟେକିଦେଲା । ଆଉ ଏଥିରେ ଭିଲିୟାନ ସାଜିଥିଲା ପିଲା ଜନ୍ମ ଦେବାରେ ସହଯୋଗ କରିଥିବା ନର୍ସ । ଏମିତି ଖବର ଘଟିଛି କେନ୍ଦୁଝର ଜିଲ୍ଲାରେ । ଏହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା ଯୋର ଧରିଛି ।

କେନ୍ଦୁଝର  ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ବିଧବା ଜୁଆଙ୍ଗ ମହିଳା ନିଜ ବାପଘରେ ରହୁଥିଲେ। ଗତ ୨୦ ତାରିଖରେ ବାପଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ମା’ ଓ ନବଜାତ ଶିଶୁପୁତ୍ର ଅପପୁଷ୍ଟିର ଶିକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ସେମାନଙ୍କୁଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୧ ତାରିଖରେ ଭର୍ତ୍ତି କରିଥିଲେ।

ଡାକ୍ତରଖାନାରେ ଗୋଟିଏ ଦିନ ପରେ ହଠାତ ମହିଳା ଓ ତାଙ୍କ ଶିଶୁପୁତ୍ର ନିଖୋଜ ହୋଇଯାଇ ଥିଲେ। ଘଟଣା ପଦାକୁ ଆସିବା ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଥିଲା। ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତାମାନେ ଶିଶୁପୁତ୍ରକୁ କେନ୍ଦୁଝର ପୁରୁଣା ବଜାର ଅଞ୍ଚଳରୁ ଉଦ୍ଧାର କରି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ନର୍ସଙ୍କ ସହାୟତାରେ ପିଲାକୁ ତା’ ମା ବିକ୍ରି କରିଦେଇଥିଲେ। ଏଥିପାଇଁ ତାଙ୍କୁ ୧୦୦୦ ଟଙ୍କା, ୩ଟି ଶାଢୀ ଓ ଗୋଟିଏ ଶାଲ୍‌ ମିଳିଥିଲା। ମାତ୍ର କେଉଁ ନର୍ସ ପିଲା ବିକ୍ରି ପାଇଁ ପ୍ରବର୍ତ୍ତାଇଥିଲେ ତାହା ଜଣାପଡ଼ି ନାହିଁ। ଏପରିକି ପିଲା କିଣିଥିବା ବ୍ୟକ୍ତି ଜଣକ ନର୍ସଙ୍କ ନାଁ ମଧ୍ୟ ପ୍ରକାଶ କରୁନାହାନ୍ତି।