ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁନଃ ଚଳଚଞ୍ଚଳ କରିବା ନିମନ୍ତେ  ରାଜ୍ୟରେ ନୌକା-ବିହାର  ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ  ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟନ ବିଶେଷଜ୍ଞ ଏବଂ  ଏହି ଶିଳ୍ପ  ସହ ସଂପୃକ୍ତ  ବିଭାଗ ଓ ସଂସ୍ଥାମାନଙ୍କ ସହ ଆଲୋଚନା କରି ଶ୍ରୀ ତ୍ରିପାଠୀ ଏହି  ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ  ଡ଼ିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ  ପର୍ଯ୍ୟଟନ ବିଭାଗ  ଶାସନ ସଚିବ  ଶ୍ରୀ ବିଶାଳ କୁମାର ଦେବ ରାଜ୍ୟରେ ନୌକାବିହାର  ପର୍ଯ୍ୟଟନ ସମ୍ବନ୍ଧିତ  ବିଭିନ୍ନ ନିତୀଗତ  ଓ ବୈଷୟିକ ଆବଶ୍ୟକତା ବିଷୟ  ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟର ନଦୀ ଓ ସମୁଦ୍ରରେ ନୌକା-ବିହାର ପର୍ଯ୍ୟଟନର ବ୍ୟାପକ ସୁଯୋଗ ଅଛି । ଏହି ପର୍ଯ୍ୟଟନ  ବଜାର ଚାହିଦା ମଧ୍ୟ ରହିଛି ।  ଏ ପ୍ରକାର ପର୍ଯ୍ୟଟନରେ କୋଭିଡ୍-୧୯ କଟକଣାର ଅନୁପାଳନ ମଧ୍ୟ ସହଜ । ନୌକା-ବିହାର ପର୍ଯ୍ୟଟନକୁ ରାଜ୍ୟର କେତେକ  ପରିବେଶ ପର୍ଯ୍ୟଟନ ( ଇକୋ ଟୁରିଜିମ୍ )  ସ୍ଥାନ ସହ ସଂଯୋଜିତ କରି ଏହାକୁ ଅଧିକ ଆକର୍ଶଣୀୟ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଖୁବ୍ ଶିଘ୍ର ରାଜ୍ୟ​‌ରେ ୩ ଟି ନୌକା-ବିହାର ପର୍ଯ୍ୟଟନ ପରିପଥ (ସର୍କିଟ୍) ଆରମ୍ଭ କରାଯାଇପାରିବ । ଏଗୁଡିକ ହେଲା ମହାନଦୀ, ଭିତରକନିକା, ଚିଲିକା ଏବଂ ଜାତୀୟ ଜଳପଥ-୫ । ଭିତରକନିକା ସର୍କିଟ୍ ରେ ଚାନ୍ଦବାଲି-ଆରଡି-ଧାମରା-ଖୋଳା ଏବଂ ଭିତରକନିକା ସ୍ଥିତ ଇକୋ-ସ୍ପଟ୍ ଗୁଡିକୁ ସଂଯୋଜିତ କରି ୫ ରାତ୍ରୀ ଏବଂ ୬ ଦିନିଆ ‘କ୍ରୁଇସ୍’ ଆୟୋଜନ  କରାଯାଇ ପାରିବ । ସେହିପରି ଚିଲିକା ସର୍କିଟ୍ ରେ ଚିଲିକା-କାଳିଜାଇ-ନଳବନ-ହନିମୁନ୍ ଦ୍ୱୀପ- ମଙ୍ଗଳାଯୋଡି- ସାତପଡା- ରାଜହଂସ ଦ୍ୱୀପ- ପୁରୀକୁ ସଂଯୋଜିତ କରି ୩ ରାତ୍ରୀ ଏବଂ ୪ ଦିନିଆ ‘କ୍ରୁଇସ୍’  ଆୟୋଜନ ହୋଇ ପାରିବ ।

ନୌକା-ବିହାର ପର୍ଯ୍ୟଟନ ସମ୍ୱନ୍ଧିତ ନିୟାମକ, ଆଇନଗତ ଅନୁମତି, ପ୍ରଦ୍ୟୁଷଣ ନିୟମର ଅନୁପାଳନ, ନଦୀ ଓ ସମୁଦ୍ର କୂଳରେ ଜେଟ୍ଟୀର ବ୍ୟବହାର ଆଦି ବିଷୟରେ  ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ  କହିଥିଲେ ଏ ପ୍ରକାର ପର୍ଯ୍ୟଯନ ନିମନ୍ତେ ରାଜ୍ୟ ସରକାର  ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ । ଘରୋଇ-ସରକାରୀ ସହଭାଗିତା (ପି.ପି.ପି. ) ମୋର୍ଡରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଙ୍କ ସହ ସମନ୍ୱିତ ଭାବେ ବିସ୍ତୁତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ରାଜ୍ୟ ପି.ପି.ପି. ସେଲ୍ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଇନଲ୍ୟାଣ୍ଡ  ଜଳପଥ କର୍ତ୍ତୁପକ୍ଷଙ୍କ ସହ ଆଇନଗତ ଆବଶ୍ୟକତା  ବିଷୟରେ ଯୋଗାଯୋଗ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ  ପର୍ଯ୍ୟଟନ ବିଭାଗଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଜଳ ସଂପଦ  ପ୍ରମୁଖ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ପର୍ଯ୍ୟଯନ ସଚିବ  ଶ୍ରୀ  ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ  ଶ୍ରୀ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ  ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ  ବୈଠକର  ଆଲୋଚନାରେ ଅଂଶଗ୍ରହଣ  କରିଥିଲେ ।