ଓମ୍ବାଡସି ପ୍ରକଳ୍ପ ତ୍ୱରାନ୍ୱିତ : ୨ୟ ପର୍ଯ୍ୟାୟ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଜିଲ୍ଲାସ୍ତରୀୟ ସେଲକୁ ଅଧିକ କର୍ମଦକ୍ଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ(ଓମ୍ବାଡସି)ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରୁ ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳମାନେ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ସମୀକ୍ଷା ନିମନ୍ତେ ଉପସ୍ଥାପନ କରିଥିଲେ ।

ମୁଖ୍ୟ ଶାସନ ସଚିବ ୨ମ ଏବଂ ୨ୟ ପର୍ଯ୍ୟାୟରେ ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଗୁଡିକର ବିଭାଗଓାରୀ ସମୀକ୍ଷା କରି ଜିବୀକା ନିର୍ବାହ, ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକମାନ ବୃଦ୍ଧି ଜନିତ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରତ୍ୟେକ ପ୍ରକଳ୍ପ ପାଇଁ ସମୟସୀମା ସ୍ଥିର କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ସମ୍ପୃକ୍ତ କାର୍ଯ୍ୟାନ୍ୱୟନ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାସ୍ତରୀୟ ଓମ୍ବାଡସି ସେଲକୁ ଅଧିକ କାର୍ଯ୍ୟଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଗମ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ, ଜିବୀକା ଓ ଶିକ୍ଷା ଆଦି କ୍ଷେତ୍ରର ପ୍ରକଳ୍ପ ବିଶେଷଜ୍ଞମାନଙ୍କୁ ସେଲରେ ସାମିଲ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

କେନ୍ଦୁଝର , କୋରାପୁଟ, ସୁନ୍ଦରଗଡ, ସମ୍ବଲପୁର, ମୟୁରଭଜ୍ଞ ଆଦି ଜିଲ୍ଲାରେ ରହିଥିବା ପର୍ଯ୍ୟାପ୍ତ ଉଦ୍ୟାନଚାଷ ସମ୍ଭାବନା ବିଷୟ ଉଲ୍ଲେଖ କରି ଏ ଅଂଚଳରେ ବଡ ଆକାର ଉଦ୍ୟାନ ଚାଷ ନର୍ସରୀ(ମେଗା ନର୍ସରୀ) ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କୁ ଦେଇଥିଲେ । ଓଡ଼ିଶାର କୃଷି-ଜଳବାୟୁ ଅନୁକୁଳ ବିଭିନ୍ନ ପ୍ରଜାତିର ସର୍ବୋତମ ମା’ ଗଛ (ମଦର ପ୍ଲାଂଟ) ଏହି ନର୍ସରୀରେ ସ୍ଥାପନ କରି ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ଚାରା ଉତ୍ପାଦନ କରିବାକୁ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଖଣିଜ ସଂପଦ ଅଂଚଳରେ ଅଭିନବ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ଶ୍ରୀ ତ୍ରିପାଠୀ ବୈଠକରେ ଉପସ୍ଥିତ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କୁ କହିଥିଲେ । ଏସବୁ ଅଂଚଳରେ ପ୍ରାୟ ୧୩ ପ୍ରକାର କୌଶଳ ଅଧିକ ଗ୍ରହଣୀୟ ଏବଂ ନିଯୁକ୍ତି ଭିତିକ ହେବ ବୋଲି ଶ୍ରୀ ସିଂ ଜଣାଇଥିଲେ । ଓଡ଼ିଶାରେ ପ୍ରତିଷ୍ଠା ହେଉଥିବା ଶିଳ୍ପମାନଙ୍କର ମାନବ ସମ୍ବଳ ଆବଶ୍ୟକତା ଅନୁସାରେ ଉନ୍ନତମାନର କୌଶଳ ବିକାଶ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା ।

ପ୍ରକଳ୍ପ ଗୁଡିକ ଉପସ୍ଥାପନ କରି ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ କହିଥିଲେ ଯେ ୧ମ ପର୍ଯ୍ୟାୟ(କମ୍ପା ପାଣ୍ଠି)ରେ ପ୍ରାୟ ୧୦୮୧କୋଟି ଟଙ୍କା ମୂଲ୍ୟର ପକ୍କାଘର, ପାନୀୟଜଳ, କୌଶଳ ବିକ।। ଓ ଜଙ୍ଗଲ ବୃଦ୍ଧି ଆଦି ପ୍ରକଳ୍ପ ଅନୁମୋଦନ କରାଯାଇ ସମ୍ପୃକ୍ତ ବିଭାଗମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଇଛି । ସେହିପରି ୨ୟ ପର୍ଯ୍ୟାୟ (କ୍ଷତିପୂରକ ରାଶି)ରେ ବର୍ତମାନ ବର୍ତମାନ ପର୍ଯ୍ୟନ୍ତ ୧୨,୧୧୮ କୋଟି ଟଙ୍କାର ଅଗ୍ରାଧିକାରକ୍ଷେତ୍ର ଅନ୍ତର୍ଗତ ପ୍ରକଳ୍ପ ଅନୁମୋଦନ କରାଯାଇଛି ।

ସମୀକ୍ଷାରୁ ଜଣଶପଡିଥିଲା ଯେ ଚଳିତ ବର୍ଷ ଅଗଷ୍ଟ ମାସ ଶେଷସୁଦ୍ଧା ୧ମ ପର୍ଯ୍ୟାୟ ଧାର୍ଯ୍ୟ ଲକ୍ଷ୍ୟ ୯୫%(୨୮,୫୦୦ଟି ଘର) ପକ୍କାଘର ନିର୍ମାଣ, ଏବଂ ୯୩%(୧୯୯ଟି ପ୍ରକଳ୍ପ) ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଜଙ୍ଗଲ ସୃଷ୍ଟି, ସବୁଜିମା ବୃଦ୍ଧି, ଫାର୍ମ ଫରେଷ୍ଟ୍ରି ଆଦି କ୍ଷେତ୍ରରେ ୯୫% ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଏହିସବୁ ପ୍ରକଳ୍ପରେ ବର୍ତମାନ ସୁଦ୍ଧା ପ୍ରାୟ ୧୦୮୧ କୋଟି ଟଙ୍କର ବିନିଯୋଗ ହୋଇଛି । ସେହିପରି ୨ୟ ପର୍ଯ୍ୟାୟ (କ୍ଷତିପୂରକ ରାଶି) ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରୁ ମଧ୍ୟରୁ ପ୍ରାୟ ୮୦ ଭାଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟ ପ୍ରକଳ୍ପ ବାବଦରେ ସମ୍ପୃକ୍ତ ବିଭାଗମାନଙ୍କୁ ବର୍ତମାନ ସୁଦ୍ଧା ୨୦୮୫ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଶ୍ରୀମତୀ ନନ୍ଦୁରୀ ଜଣାଇଥିଲେ । କାର୍ଯ୍ୟାନ୍ୱିୟନ ଅଗ୍ରଗତି ସହ ଆବଶ୍ୟକୀୟ ପାଣ୍ଠି ତୁରନ୍ତ ଯୋଗାଇ ଦିଆଯିବ ବୋଲି ସେ ସ୍ପଷ୍ଟ କରିଥିଲେ ।

ଖଣି କାର୍ଯ୍ୟ ପ୍ରଭାବିତ ଅଂଚଳମାନଙ୍କରେ ଅଭିନବ ଜିବୀକା ନିର୍ବାହ, ପାନୀୟ ଜଳ ଯୋଗାଣ, ପ୍ରାକୃତିକ ପରିବେଶ, ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଆଦିର ଗୁଣାତ୍ମକମାନ ବୃଦ୍ଧି କ୍ଷେତ୍ରରେ ଏକ ସପ୍ତାହ ମଧ୍ୟରେ ନୂତନ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଉମା ନନ୍ଦୁରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଶାସନ ସଚିବ ଓ ଶାସନ ସଚିବମାନନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।