ବନ୍ୟା ସ୍ଥିତି ନେଇ ପ୍ରଭାବିତ ଜିଲ୍ଲାପାଳଙ୍କ ସହ କଥା ହେଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ଜିଲ୍ଲାପାଳଙ୍କ ସହ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଆଲୋଚନା କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଳାପାଳ ବୈଠକରେ ଯୋଗଦେଇଥିଲେ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଳାରେ ଅଧିକ ଲଘୁଚାପ ବର୍ଷା ହୋଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢୁଛି । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଜଳସ୍ତର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତା’ ଉପରେ ନଜର ରଖାଯାଇଥିବା ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନ ଥିବା ସେ କହିଛନ୍ତି । ତେବେ ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀରେ ୫୦ ପ୍ରତିଶତ ପାଣି ଅଛି, ହୀରାଦୁକର ୧୫ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦରେ ଜଳସ୍ତର ୬୧୫ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡରେ ପ୍ରତି ୩ଲକ୍ଷ ୨୭ ହଜାର ଘନଫୁଟ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୩ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।

ସେପଟେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି  ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ରିପୋର୍ଟ ଆସିଲା ପରେ ଜଣାପଡିବ କେଉଁଠି କେତେ କ୍ଷତି ହୋଇଛି । ଫସଲ ଜନିତ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ମଗାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ପଦକ୍ଷେପ  ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବନ୍ୟା ଯୋଗୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ଅଂଚଳରେ ବନ୍ୟା ପାଣି ମାଡିଥିଲା  ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ସେଥିପାଇଁ ଆଲର୍ଟ ରହିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବନ୍ୟା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ବାରମ୍ବାର ରାଜ୍ୟରେ ଳଘୁଚାପ ଫଳରେ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଖବର ଆସିଛି । ବନ୍ୟା ଯୋଗୁ ଚାଷ ଜମି କ୍ଷୟକ୍ଷତିର ରିପୋର୍ଟ କୃଷି ବିଭାଗ ତରଫରୁ ମଗାଯାଇଥିବା ମନ୍ତ୍ରୀ କହିଛନ୍ତି ।