ଫନି: କ୍ୟାବିନେଟ୍ ସଚିବଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବିଦ୍ୟୁତ୍ ଓ ମୋବାଇଲ ସେବା ପୁନଃରୁଦ୍ଧାରରେ ଅଗ୍ରଗତି ନେଇ କ୍ୟାବିନେଟ୍ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ସଚିବାଳୟରୁ ଭିଡ଼ିଓ କନଫରେସିଂ ଜରିଆରେ ହୋଇଥିବା ବୈଠକରେ ମୋବାଇଲ ଓ ବିଦ୍ୟୁତ୍ ବ୍ୟବସ୍ଥା ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ଆବଶ୍ୟକତାକୁ କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ବର୍ତ୍ତମାନ ସୁଦ୍ଧା ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଆଦି ବିଶେଷ କ୍ଷତିଗ୍ରସ୍ତ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ଗ୍ରାମାଞ୍ଚଳରେ ସମସ୍ତ ନଳକୂପକୁ ବିଶୋଧନ ଏବଂ କାର୍ଯ୍ୟକ୍ଷମ କରାଯାଇଛି ।

ପୁରୀରେ ଡ଼ାଟା ସଂଚାରଣ ଇଣ୍ଟରନେଟ୍ କାମ କରୁନଥିବାରୁ ବର୍ତ୍ତମାନ ସୁଦ୍ଧା, ୨୭୩ଟି ଏଟିଏଏମ ମଧ୍ୟରୁ ୨୦ଟି ଏଟିଏଏମ ମେସିନ୍ କାର୍ଯ୍ୟକ୍ଷମ କରୁଛି । ପୁରୀରେ ଥିବା ସମସ୍ତ ବ୍ୟାଙ୍କ ମାନେ ନିଜ ନିଜ ବ୍ରାଞ୍ଚକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବିଦ୍ୟୁତ୍ ବ୍ୟବସ୍ଥା ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଇତି ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ୨୦୦, ପଶ୍ଚିମବଙ୍ଗରୁ ୫୦ ଏବଂ ତେଲେଙ୍ଗାନାରୁ ୫୦ ବିଦ୍ୟୁତ୍ ଗ୍ୟାଙ୍ଗ୍ ଆସି ରାଜ୍ୟରେ ବିଦ୍ୟୁତ୍ କାର୍ଯ୍ୟ ଚାଲୁ ରଖିଛନ୍ତି । ତେଣୁ ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ କର୍ଣ୍ଣାଟକ ରାଜ୍ୟରୁ ୧୦୦ ବିଦ୍ୟୁତ୍ ଗ୍ୟାଙ୍ଗ୍ ସହ ଓଡ଼ିଶାକୁ ୩୬ଟି ବିଦ୍ୟୁତ୍ ଖୁଣ୍ଟି ଇରେକ୍ଟର ମେସିନ୍ ପଠାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନୁରୋଧ କରିଛନ୍ତି ।