ପୋର୍ଟାଲ୍ କୁ ସରଳ ଓ ଦ୍ୱିଭାଷୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଅନ୍ଲାଇନ୍ରେ ବିଦ୍ୟୁତ ସେବା ଯୋଗାଣ କାର୍ଯ୍ୟ ହେବ

ଭୁବନେଶ୍ୱର: ‘୫-ଟି’ ସିଦ୍ଧାନ୍ତ କାର୍ଯ୍ୟାନ୍ୱୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ବିଜୁଳି ସଂଯୋଗ ଓ ବିଦ୍ୟୁତ ସେବା ଯୋଗାଣ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଖୁବ୍ ଶିଘ୍ର ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ କରାଯିବ । ଏଥି ପାଇଁ ଶକ୍ତି ବିଭାଗଙ୍କ ପ୍ରଚେଷ୍ଟାରେ ଏକ ଅନ୍‌ଲାଇନ୍‌ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ ସମୟାନୁବନ୍ଧିତ ଭାବେ ଉତ୍ତମ ବିଜୁଳି ସେବା ଯୋଗାଣରେ ପୋର୍ଟାଲର ପ୍ରୟୋଜନିୟତା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ପୋର୍ଟାଲର ବିଭିନ୍ନ ଦିଗକୁ ବିଚାର କରି ସାଧାରଣ ଲୋକଙ୍କ ନିମନ୍ତେ ଏହାକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପୋର୍ଟାଲରେ ଉଭୟ ଓଡ଼ିଆ ଏବଂ  ଇଂରାଜୀ ଭାଷା ସନ୍ନିବଶିତ କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଏହି ସାଧାରଣ ପୋର୍ଟାଲ ମାଧ୍ୟମରେ ସେବା ଯୋଗାଇବା ପାଇଁ ନିଜ ନିଜର ବ୍ୟବସ୍ଥାକୁ ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ୪ଟି ବିତରକ କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲାଯେ ଏହି ପୋର୍ଟାଲ୍‌ରେ ବିଦ୍ୟୁତ ସଂଯୋଗ ଦେୟ ସବୁ ବିତରକ କଂପାନୀ ଅଂଚଳରେ ସମାନ ହେବ । ବିଦ୍ୟୁତ ଭିତ୍ତିଭୂମି ଥିବା ଅଂଚଳରେ ଘରୋଇ ଏବଂ ୫ କିଲୋୱାଟ୍‌ ପର୍ଯ୍ୟନ୍ତ ଅଣୁ ଉଦ୍ୟୋଗ ଉପଭୋକ୍ତା ମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଦିଆଯିବ । ବିଦ୍ୟୁତ ସଂଯୋଗ ସମ୍ବନ୍ଧିତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଉଭୟ ଉପଭୋକ୍ତା ଏବଂ ସଂପୃକ୍ତ ବିତରକ କଂପାନୀର ଅଧିକାରୀଙ୍କୁ ଏସ୍‌.ଏମ୍‌.ଏସ୍‌. ପଠାଯିବ । ଅନ୍‌ ଲାଇନ୍‌ରେ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ ଚୁକ୍ତି ପତ୍ର, ବିଲ୍ ଆଦି ସେହି ପୋର୍ଟାଲ ମାଧ୍ୟମରେ ମିଳିବ ଏବଂ ସେଥିରେ ବିଲ୍‌ ପୈଠର ସୁବିଧା ମଧ୍ୟ ରହିବ । ଉପଭୋକ୍ତା ମାନଙ୍କ ଦ୍ୱାରା ଅଭିଯୋଗ ଦାଖଲ ଏବଂ ସେସବୁର ଆଶୁ ସମାଧାନ ପାଇଁ ପୋର୍ଟାଲରେ ସ୍ୱତନ୍ତ୍ର ସୁବିଧା ରହିବ ।

ଗ୍ରିଡ୍‌କୋର ଅଧ୍ୟକ୍ଷ ଶ୍ରୀ ସୌରଭ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ଗ୍ରୀଡ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀ ଗଗନ ସ୍ୱାଇଁ ଏବଂ ଓ.ପି.ଟି.ସି.ଏଲ୍‌. ର ବରିଷ୍ଠ ସାଧାରଣ ପରିଚାଳକ ଶ୍ରୀ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।