ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକ୍ରିୟା ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଅନଲାଇନ୍ ସେବା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର: ପୂର୍ଣ୍ଣ ସ୍ୱଚ୍ଛତା ଓ ସମୟାନୁବନ୍ଧିତ ପ୍ରକ୍ରିୟାରେ ସରକାରୀ ସେବା ପ୍ରଦାନର ସଫଳ ରୂପାୟନ ନିମନ୍ତେ ୫ଟି ପ୍ରୟାସ ଅନ୍ତର୍ଭୁକ୍ତ ଅନଲାଇନ୍ ସେବା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ସେବା ଯୋଗାଣରେ ବୈଷୟିକ କୌଶଳର ପ୍ରୟୋଗକୁ ଅଗ୍ରାଧିକାର ଦେଇଥିବା ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସାଧୁବାଦ ଜଣାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍ ସେବା ଯୋଗାଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନଲାଇନ୍ ମାଧ୍ୟମରେ ସମସ୍ତ ପ୍ରକାର ଦେୟ, ପ୍ରାପ୍ୟ ସହାୟତା ଓ କ୍ଷତିପୂରଣ ଆଦି ରାଶି ଦିଆଯିବା ନିଶ୍ଚିତ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ମାସ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୨୧ଟି ବିଭାଗରେ ଅନଲାଇନ୍ ସେବା ପ୍ରଦାନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇତି ମଧ୍ୟରେ ଇସ୍ପାତ୍ ଓ ଖଣି ବିଭାଗରେ ଚିହ୍ନିତ ସମସ୍ତ ୫ଟି ସେବା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସମସ୍ତ ୧୨ଟି ଚିହ୍ନିତ ସେବା ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସମସ୍ତ ୦୩ଟି ଚିହ୍ନିତ ସେବାକୁ ଅନଲାଇନ୍ କରାଯାଇଛି ।

କଂଟ୍ରାକ୍ଟର ମାନଙ୍କ ଦ୍ୱାରା ଶ୍ରମିକ ମାନଙ୍କୁ ମଜୁରୀ ଓ ଅନ୍ୟାନ୍ୟ ଦେୟ ପ୍ରଦାନର ଅନୁଧ୍ୟାନ ପାଇଁ ଇ-ମଷ୍ଟର ରୋଲ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଇଛି । ରିୟଲ-ଟାଇମ୍ ତଦାରଖରେ ଏହାର ଉପଯୋଗିତାକୁ ପରୀକ୍ଷା କରାଯିବ । ଏଥିପାଇଁ ପୂର୍ତ, ଜଳସମ୍ପଦ ଏବଂ ଗ୍ରାମ ଉନ୍ନୟନ ବିଭାଗର କେତେକ ପ୍ରକଳ୍ପରେ ଏହାର ପରୀକ୍ଷାମୂଳକ ପ୍ରୟୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଅନୁସାରେ, ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ୫ଟି ଢ଼ାଂଚାରେ ଅଗ୍ରାଧିକାର ଚିହ୍ନିତ ୨୨୩ଟି ସେବା ମଧ୍ୟରୁ ପ୍ରାୟ ୫୨% ସେବାକୁ ଅନଲାଇନ୍ କରାଯାଇଛି । ସମସ୍ତ ଅଗ୍ରାଧିକାର ଚିହ୍ନିତ ସେବା ପ୍ରଦାନକୁ ଚଳିତବର୍ଷ ଆକ୍ଟୋବର ୨ ତାରିଖ ସୁଦ୍ଧା ଅନଲାଇନ୍ କରିବାକୁ ସରକାର ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ପାଇଁ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକରେ ସମୟ ସାରଣୀ ନିର୍ଦ୍ଧାରଣ କରିଥିଲେ । ତଦନୁଯାୟୀ କାର୍ଯ୍ୟକରି ଲକ୍ଷ୍ୟକରି ତାରିଖ ପୂର୍ବରୁ ଅନ ଲାଇନ୍ ସେବା ପ୍ରଦାନ ପ୍ରକ୍ରିୟା ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ଶ୍ରୀ ମନୋଜ ମିଶ୍ରଙ୍କ ତତ୍ୱାବଧାନରେ ଓସ୍ୱାସ୍ ପ୍ଲାଟଫର୍ମରେ ଏହି ବୈଠକ ଆୟୋଜିତ ହୋଇଥିଲା ।