କରୋନା ମହାମାରୀ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ୨ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଲକ୍ ଡାଉନ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ୧୮୯୭ ମସିହାର ମହାମାରୀ ଆଇନକୁ ଏକ ଅଧ୍ୟାଦେଶ ଜରିଆରେ ସଂଶୋଧନ କରି ଆଇନର ଉଲ୍ଲଂଘନ ନେଇ ଥିବା ଦଣ୍ଡକୁ ବଢ଼ାଇଛନ୍ତି । ଏ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ମହାମାରୀ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ ।

ଲକଡାଉନ୍ ନିୟମକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି, ଯେଉଁଥିଲାଗି ପୁରୁଣା ଆଇନକୁ ସଂଶୋଧନ କରାଯାଇଛି। ଏହି ଆଇନକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ  କହିଛନ୍ତି । ଉଲଂଘନକାରୀଙ୍କୁ ସର୍ବନିମ୍ନ ୨ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସେହିପରି ସାରା ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି । ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ ।

କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଘରୋଇ ହସ୍ପିଟାଲ ଓ ନର୍ସମାନଙ୍କୁ ରିକ୍ୟୁଜିସନରେ ନେବେ । ଜିଲ୍ଲାପାଳ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଡାକ୍ତରଙ୍କୁ ରିକ୍ୟୁଜିସନ କରିପାରିବେ । ରାଜ୍ୟ ସରକାର ୧ ଲକ୍ଷ ରାପିଡ୍ ଡାଇଗ୍ନୋଷ୍ଟିକ କିଟ୍ କିଣିବାକୁ ନିଷ୍ପତି ନେଇଛନ୍ତି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିକ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିରୁ କୋଭିଡ-୧୯ ହସ୍ପିଟାଲ ଅନ୍ୟତମ । ଆମେ ପାଖାପାଖି ୬୦୦୦ ବେଡ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଛୁ । ଏଯାଏଁ ୮ଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ସେଗୁଡ଼ିକରେ ପ୍ରାୟ ୧୫୦୦ ବେଡ ଅଛି । ରାଜ୍ୟରେ ଏବେ ଏନ-୯୫ ମାସ୍କ ମହଜୁଦ ଅଛି । ୪ରୁ ୮ ମାସ ପର୍ଯ୍ୟନ୍ତ ପାଇଁ ଔଷଧ ଅଛି ।