ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ସୋ ହୋଇଯାଇଛି । ୟୁନିଟ୍‌ ୬ ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ନବୀନଙ୍କ ରୋଡ୍‌ ସୋ । ଏଥିପାଇଁ ଗଙ୍ଗନଗର ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏକଜୁଟ୍ ହୋଇଛନ୍ତି । ସାଂସ୍କୃତିକ ଦଳ ନୃତ୍ୟ ଓ ସମର କଳା ଦେଖାଉଛନ୍ତି ।

ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଭୁବନେଶ୍ବରର ବିଭିନ୍ନ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀ ଏହି ରୋଡ ଶୋ’ରେ ସାମିଲ ହୋଇଛନ୍ତି । ରୋଡ୍ ଶୋ’ ଏଲଆଇସି ଛକ, ଗୋପବନ୍ଧୁ ଛକ, ଡିଏଭି ଛକ, ବାଲୁଙ୍କେଶ୍ବର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ ଛକ, ବେହେରା ସାହି ଛକ, ନିକୋପାର୍କ ଛକ, ବାୟାବାବା ମଠ ଛକ, ରୂପାଲି ଛକ ଯିବ । ଏହାପରେ ରୁପାଲୀ ଛକରୁ ୟୁଟର୍ଣ୍ଣ ନେଇ ରାମମନ୍ଦିର ଛକ, ମାଷ୍ଟରକ୍ୟାଣ୍ଟିର ଛକ ଦେଇ ଶିଶୁ ଭବନ ଛକ ପର୍ଯ୍ୟନ୍ତ ରୋଡ୍‌ ସୋ ଯିବ ।

ଏହି ରୋଡ୍‌ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍‌ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ । ଏସବୁ ରାସ୍ତା ଦେଇ ଗୋଟିଏ ପାର୍ଶ୍ବରେ ସାଢ଼େ ୪ଟାରୁ ବନ୍ଦ ରହିବ ରାସ୍ତା । ତେବେ ନବୀନଙ୍କୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଛି ।