ବିଜେଡି ଇସ୍ତାହାରରେ ଚାଷୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର : ବିଜେଡି ଇସ୍ତାହାରରେ ଚାଷୀ କଲ୍ୟାଣକୁ ପ୍ରଥମ ସ୍ଥାନରେ ରଖାଯାଇଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ତିତିଲି, ହୁଡହୁଡ ବେଳେ ବିଜେପି ନେତାଙ୍କ ଦେଖା ନଥିଲା । କିନ୍ତୁ ଭୋଟ୍ ମାଗିବାକୁ ସେମାନେ ଆସୁଛନ୍ତି । ବିଜେପିକୁ ଏଭଳି କଟାକ୍ଷ ଶବ୍ଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲା ଜୟପୁରରେ ଆୟୋଜିତ ଏକ ଜନସଭା ସମାବେଶରେ ଉଦବୋଧନ ଦେଇ କହିଛନ୍ତି ।  ଜୟ ଜଗନ୍ନାଥ , ଆପଣମାନଙ୍କୁ ମୋର ନମସ୍କାର କହି ମୁଖ୍ୟମନ୍ତ୍ରୀ ଓଡିଆରେ ଭାଷଣ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରାକରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ , ବନ୍ୟା ବାତ୍ୟା ହେଲା କିନ୍ତୁ କେହି ଜାତୀୟ ଦଳ ଓଡିଶା ଆସିଲେନି । ଏବେ ଭୋଟ୍ ପାଇଁ ଓଡିଶା ଆସୁଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଆହୁରି ଟାର୍ଗେଟ କରି କହିଛନ୍ତି ଯେ, କାହା ସ୍ବାର୍ଥରେ କେବିକେ ଯୋଜନା ବନ୍ଦ କରାଗଲା । ଗରିବ ଏସସି , ଏସଟି ପିଲାଙ୍କ ବୃତ୍ତି ବନ୍ଦ କରାଗଲା । ଓଡିଶା ପ୍ରତି ଏମାନଙ୍କ ଦରଦ ଏମିତି । ବିଜେପିର ବଡ ବଡ ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛି ଏବଂ ଆଗକୁ ରହିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଥରେ ସାଂସଦ ଓ ଥରେ ବିଧାୟକଙ୍କ ପାଇଁ ଭୋଟ ଦେବାକୁ ନବୀନ ନିବେଦନ କରିଥିଲେ ।