ଘରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଯାହାଫଳରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇପାରିବେ । ତେବେ କୋରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି; ଘରେ ରହନ୍ତୁ, ସୁସ୍ଥ, ସୁରକ୍ଷିତ ରହନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମୁଖ୍ୟାଂଶ ହେଲା:

-ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ (ନିୟର୍ ଟୋଟାଲ୍) ଲକ୍ ଡାଉନ୍ କରାଯିବ।

-୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ (ନିୟର୍ ଟୋଟାଲ୍) ଲକଡାଉନ୍ ରହିବ।

-ଏହି ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ତେଜରାତି ହୋଲସେଲ୍ ମଧ୍ୟ ଖୋଲା ରହିବ।

– ସେହିପରି ଏସବୁ ଅଂଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଠଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।

– ଉପରୋକ୍ତ ୫ ଗୋଟି ଜିଲ୍ଲା ଓ ୭ ଗୋଟି ସହରରେ ସାମାଜିକ ସୁରକ୍ଷା ପେନ୍‌ସନ ଓ ସାଧାରଣ ବଂଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

– ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଗ କରିପାରିବେ।

– ଘରୋଇ କମ୍ପାନୀ ମାନଙ୍କୁ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏହା ନ କରନ୍ତି, ତେବେ ସେମାନଙ୍କର ବର୍ତମାନର ବ୍ୟବସ୍ଥା ଚାଲୁ ରଖିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଆଣିବାକୁ ହେବ।

– କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଗଲା ।

– ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି। ଏହାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ।