ଜନ୍ମଦିନରେ କନ୍ଧମାଳକୁ ନବୀନଙ୍କ ଭେଟି, ନିର୍ମାଣ ହେବ ମେଡ଼ିକାଲ କଲେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫୁଲବାଣୀରେ ୫୦୦ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ପାଞ୍ଚଟି ଜିଲ୍ଲାରେ ରହିଥିବା ହସ୍ପିଟାଲର ଭିତ୍ତିଭୂମି ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ବୌଦ୍ଧ ଜିଲ୍ଲା ପାଇଁ ଘୋଷଣା କରିଛନ୍ତି ସହାୟତା ରାଶି । ‘ମୋ ସରକାର’ ଯୋଜନା ମାଧ୍ୟମରେ ଏହି ସବୁ ଜିଲ୍ଲାର ବିକାଶ କରାଯିବାକୁ ନିଷ୍ପତି ନିଆଯାଇଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲର ବେଡ ସଂଖ୍ୟାକୁ ୨୦୦କୁ ବୃଦ୍ଧି କରାଯିବ । ଏହା ସହିତ ଜିଲ୍ଲାକୁ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ବେଡ୍ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ ।

ସେହିପରି ଜିଲ୍ଲାରେ ଏକ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣ କରାଯିବା ସାଙ୍ଗକୁ ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।କଳାହାଣ୍ଡି ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ଗୃହ, ତିନୋଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ପ୍ରଦାନ କରାଯିବ । କଳାହାଣ୍ଡି ଜିଲ୍ଲାରେ ସମାନ ଭାବରେ ୧୦୦ ଶଯ୍ୟା ବିଷିଷ୍ଟ ଗୃହ, ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ । ସେହିପରି ରାୟଗଡ଼ା ମେଡିକାଲର ପାନୀୟ ଜଳ ଯୋଗାଣ, ଗୋଟିଏ ମହାପ୍ରୟାଣ ଗାଡ଼ି ଓ ଚାରୋଟି ଆମ୍ବୁଲାନ୍ସ ଦିଆଯିବ । ନୂଆପଡ଼ା ଜିଲ୍ଲାକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।