ନୂଆଦିଲ୍ଲୀ: ଏଣିକି ଦେଶର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ଅଫିସ ମଧ୍ୟ ସୂଚନା ଅଧିକାର ଆଇନ୍(ଆରଟିଆଇ) ପରିସର ଭୁକ୍ତ ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ପବ୍ଲିକ ଅଥୋରିଟି ହୋଇଥିବାରୁ ତାଙ୍କ ଅଫିସ ଅନ୍ୟ ସଂସ୍ଥାଗୁଡ଼ିକ ଭଳି ଆରଟିଆଇ ଅଧୀନରେ ରହିବ ବୋଲି ଆଜି ଖୋଦ୍ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସିଜେଆଇ ଆରଟିଆଇ ପରିସର ଭୁକ୍ତ ହେବେ କି ନାହିଁ, ତା’ର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ହୋଇଥିଲା। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏନ୍ଭି ରମଣ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ରହିଥିଲେ। ସର୍ବସମ୍ମତିକ୍ରମେ ଖଣ୍ଡପୀଠ ଏଣିକି ସିଜେଆଇଙ୍କ ସମ୍ପର୍କରେ ଯେ କୌଣସି ବ୍ୟକ୍ତି ଆରଟିଆଇ ଜରିଆରେ ତଥ୍ୟ ହାସଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଆରଟିଆଇ ପରିସର ଭୁକ୍ତ ହେବା ଉଚିତ ବୋଲିଂ ରୁଲିଂ ଦେଇଥିଲେ।
ଆଜି ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ରାୟକୁ କାଏମ ରଖି କହିଛନ୍ତି ଯେ ସ୍ୱଚ୍ଛତା କେବେ ହେଲେ ନ୍ୟାୟପାଳିକାର ସ୍ୱାଧୀନତାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ତେଣୁ ସିଜେଆଇ ମଧ୍ୟ ନିଜର ସ୍ୱଚ୍ଛତାର ପ୍ରମାଣ ଦେବା ପାଇଁ ଆରଟିଆଇ ପରିସରଭୁକ୍ତ ହେବେ। ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଓ ସେଣ୍ଟ୍ରାଲ ପବ୍ଲିକ ଇନର୍ଫମେସନ ପକ୍ଷରୁ ଏହା ବିରୋଧରେ ୩ଟି ଆବେଦନ ହୋଇଥିଲେ ହେଁ ଏହାକୁ ୧୭ ତାରିଖରେ ଅବସର ନେବାକୁ ଥିବା ଜଷ୍ଟିସ୍ ଗୋଗୋଇ ଖାରଜ କରି ଦେଇଛନ୍ତି।
ସୁପ୍ରିମକୋର୍ଟ ସିଜେଆଇ ଅଫିସକୁ ଆରଟିଆଇ ପରିସରଭୁକ୍ତ କରିଥିଲେ ହେଁ କିଛି ସର୍ତ୍ତାରୋପ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ସିଜେଆଇ ଆରଟିଆଇ ପରିସରଭୁକ୍ତ ହେଉଛନ୍ତି ସତ। କିନ୍ତୁ ବିଶ୍ୱସନୀୟତା ଓ ବ୍ୟକ୍ତିଗତ ଗୋପନୀୟତାକୁ ସମସ୍ତେ ସମ୍ମାନ ଦେବେ। ସେହିପରି ଆରଟିଆଇକୁ କେହି କେବେ ହେଲେ ସର୍ଭେଲାନ୍ସ ଭାବେ ବ୍ୟବହାର କରିପାରିବେ ନାହିଁ।
କଲେଜିୟମ ପଦୋନ୍ନତି ପାଇଁ ସୁପାରିଶ କରିଥିବା ବିଚାରପତିଙ୍କ ନାଁକୁ କେବଳ ସାର୍ବଜନୀନ କରାଯାଇପାରିବ। ହେଲେ ଏହାର କାରଣ କୁହାଯିବ ନାହିଁ। ଆରଟିଆଇ ଜରିଆରେ ସିଜେଆଇଙ୍କ ଅଫିସର ତଥ୍ୟ ପାଇଁ ଆବେଦନ ଦାଖଲ ହେଲେ ସୂଚନା କମିଶନର ପ୍ରଥମେ ବିଚାରପତିଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ନ୍ୟାୟପାଳିକାର ସ୍ୱାଧୀନତା ଦୃଷ୍ଟିରୁ ସ୍ୱଚ୍ଛତାର ଆନୁପାତିକ ପରୀକ୍ଷା କରିବେ।
ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, “ନ୍ୟାୟପାଳିକା କେବେ ହେଲେ ଇନସ୍ୟୁଲେସନ ଦ୍ୱାରା ଚାଲିପାରିବ ନାହିଁ। କାରଣ ବିଚାରପତିମାନେ ସାମ୍ବିଧାନିକ ପଦବୀରେ ରହିଛନ୍ତି ଓ ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛନ୍ତି।”
ଏହି ସାମ୍ବିଧାନିକ ଖଣ୍ଡପୀଠ ଏପ୍ରିଲ ୪ରେ ଏସଂକ୍ରାନ୍ତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
୨୦୧୦ ମସିହା ଜାନୁଆରୀ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଫିସ ଆରିଟିଆଇ ପରିସର ଭୁକ୍ତ ହେବ। କୋର୍ଟ କହିଥିଲେ, ନ୍ୟାୟପାଳିକାର ସ୍ୱାଧୀନତାର ଅର୍ଥ ଜଣେ ବିଚାରପତିଙ୍କ ସମ୍ମାନ ନୁହେଁ। କିନ୍ତୁ ନ୍ୟାୟପାଳିକାର ଦାୟିତ୍ୱ ଜଣେ ବିଚାରପତିଙ୍କ ଉପରେ ରହିଥାଏ। ଏହି ରାୟ ତତ୍କାଳୀନ ସିଜେଆଇ ଜଷ୍ଟିସ୍ କେଜି ବାଲକ୍ରିଷ୍ଣନନଙ୍କ ପାଇଁ ଶକ୍ତଝଟକା ଥିଲା। କାରଣ ସେ ଆରଟିଆଇ ଅଧୀନରେ ବିଚାରପତିଙ୍କ ତଥ୍ୟ ସାର୍ବଜନୀନ ହେବା ଦାବିକୁ ବିରୋଧ କରୁଥିଲେ।
ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଓ ସେଣ୍ଟ୍ରାଲ ପବ୍ଲିକ ଇନର୍ଫମେସନ ଅଫିସର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶୁଣାଣି ବେଳେ ମୂଳ ମାମଲା ରୁଜୁ କରିଥିବା ଆରଟିଆ କର୍ମୀ ଏସ୍ସି ଅଗ୍ରୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସିଜେଆଇଙ୍କ ଅଫିସ ଆରିଟିଆଇ ପରିସରଭୁକ୍ତ ହେବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ।