“ଛପାକ୍” କୁ ପଛରେ ପକାଇଲା “ତାନାଜୀ”

ମୁମ୍ବାଇ: ଶୁକ୍ରବାର ବକ୍ସ ଅଫିସରେ ରିଲିଜ୍ ହୋଇଥିଲା ଦୀପିକା ପାଦୁକୋନ୍ ଙ୍କ “ଛପାକ୍” ଏବଂ ଅଜୟ ଦେବଗନଙ୍କ “ତାନାଜୀ” । ବକ୍ସ ଅଫିସରେ ବାଜି ମାରିଛି ଅଜୟଙ୍କ ଫିଲ୍ମ । ଜେଏନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ଫଳରେ ଦୀପିକାଙ୍କୁ ପଡିଲା ଭାରି । ଯାହା ଫଳରେ “ଛପାକ” ର ଆୟ ହ୍ରାସ ପାଇଲା । ତେବେ ଏହି କାରଣରୁ ବକ୍ସ ଅଫିସରେ ବାଜି ମାରିଲେ ଅଜୟ ।

ସୂଚନା ଅନୁଯାୟୀ, ଗତକାଲି ଦୁଇଟି ଫିଲ୍ମ ତାନାଜୀ ଓ ଛପାକ ଭାରତର ବିଭିନ୍ନ ସିନେମା ଘରେ ରିଲିଜ ହୋଇଥିବା ବେଳେ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ପ୍ରଥମ ଦିନ ୧୫.୧୦ କୋଟି ଟଙ୍କାର ବ୍ୟବସାୟ କରିଛି । ଅପରପକ୍ଷରେ ଦୀପିକା ପାଦୁକୋନଙ୍କ ‘ଛପାକ୍’ପ୍ରଥମ ଦିନ ମାତ୍ର ୪.୨୫ କୋଟି ଟଙ୍କାର ବ୍ୟବସାୟ କରିବାକୁ ସକ୍ଷମ ହୋଇଛି । ପୂର୍ବରୁ ଫିଲ୍ମ ବିଶେଷଜ୍ଞ ମାନେ ଛପାକ ଫିଲ୍ମକୁ ତାନାଜୀ ଚଳଚ୍ଚିତ୍ର ଠାରୁ ଅଧିକ ବ୍ୟବସାୟ କରିବ ବୋଲି ଅନୁମାନ ଲଗାଇଥିଲେ । ହେଲେ ବକ୍ସ ଅଫିସର ପରିସଂଖ୍ୟାନ ବିଶେଷଜ୍ଞଙ୍କ ସବୁ ଆକଳନକୁ ଫେଲ କରିଛି ।

ଐତିହାସିକ ବିଷୟବସ୍ତୁରେ ନିର୍ମିତ ଫିଲ୍ମ ‘ତାନାଜୀ’ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି । ଏହି ବ୍ୟୟବହୁଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ । ଐତିହାସିକ କାହାଣୀ ଆଧାରିତ ସିନେମା ତାଣାଜୀରେ ଏହି ତିନି କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ଅଜୟ ଦେବଗନ ଓ କାଜୋଲ ୫ ବର୍ଷର ବ୍ୟବଧାନ ପରେ ଏକାଠି ଅଭିନୟ କରିଛନ୍ତି ତାନାଜୀରେ । ଏହା ଅଜୟ ଦେବଗନଙ୍କର ୧୦୦ତମ ସିନେମା ହୋଇଥିବାରୁ ଫିଲ୍ମଟି ସଫଳତା ପାଇବ ବୋଲି ଆଶା ରଖିଛି ପୂରା ଟିମ୍ । ଅନ୍ୟପଟେ ସତ୍ୟକାହାଣୀ ଉପରେ ନିର୍ମିତ ହୋଇଛି ‘ଛପାକ୍’। ଦିଲ୍ଲୀର ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂର୍ଘଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ଛପାକ୍’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମେଘନା ଗୁଲଜାର ଦେଇଥିବା ବେଳେ । ଏଥିରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ୍ ଓ ବିକ୍ରାନ୍ତ ମାସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।