ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ କରି ମହାପ୍ରଭୁ ଶରଧାବାଲିରେ ଗତକାଲି ସନ୍ଧ୍ୟାରେ ପହଂଚିବା ପରେ ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। କୋଭିଡ-୧୯ ନିୟମକୁ ପାଳନ କରାଯାଇ ସେବାୟତମାନେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଆଡ଼ପକୁ ବିଜେ କରାଉଛନ୍ତି। ଏହି ଅବସରରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡିରେ ଆଡ଼ପ ମଣ୍ଡପକୁ ନିଆଯାଉଛି। ଦେବୀ ସୁଭଦ୍ରାଙ୍କ ପହଣ୍ଡି ଶେଷ ହେବା ପରେ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଜନ୍ମବେଦୀଙ୍କୁ ନିଆଯିବ। ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଆଜି ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି କରାଯାଇଥିଲା।

ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢା ବି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ବିନା ଭକ୍ତରେ ଜନ୍ମବେଦିରେ ୯ ଦିନ ଦର୍ଶନ ଦେବେ ମହାପ୍ରଭୁ। ସନ୍ଧ୍ୟା ଦର୍ଶନ ପାଇଁ ବି ଭକ୍ତମାନେ ଆତୁର ହୋଇଥାନ୍ତି। ଏଥର ସଂଧ୍ୟା ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିବେ।

ସେପଟେ ପ୍ରତିବର୍ଷ ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ଏହି ଠାରେ ହିଁ ଅବଢା ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିରରେ ଅବଢା ପ୍ରସ୍ତୁତ ବନ୍ଦ ରହିଥାଏ। ଆଡ଼ପ ଅବଢାର ସ୍ୱାଦ ଭିନ୍ନ ଥିବାରୁ ଭକ୍ତମାନେ ଏହି ମହାପ୍ରସାଦକୁ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଚଳିତ ବର୍ଷ ଆଡ଼ପ ଅବଢା ମିଳିବାର ଥିଲେ ବି ପୂର୍ବଭଳି ଅଧିକ ପରିମାଣ ରନ୍ଧା ଉପରେ କଟକଣା ଲଗାଯାଇଛି।