ଅନୁପ ସାଏଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ କଲା ପୋଲିସ

ବ୍ରଜରାଜନଗର: କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୋଲିସ ଅଧିକ ସୁରାକ ପାଇବା ପାଇଁ ଛାନଭିନ୍ ଜାରି ରଖିଛି । ଅନୁପ ସାଏଙ୍କ ଆକାଉଂଟ ଥିବା ଏସବିଆଇ ଓ ୟୁକୋ ବ୍ୟାଙ୍କରେ ପୋଲିସ ଛାନଭିନ୍ କରିଛି ।

ସେହିପରି ଅନୁପ ସାଏଙ୍କ ପୁତୁରାକୁ ଛତିଶଗଡ଼ ପୋଲିସ ନୋଟିସ ଦେଇଥିବା ବେଳେ ଆସନ୍ତାକାଲି ଚକ୍ରଧରନଗର ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି | ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ପୋଲିସ ଛାନଭିନ କରିଛି | ଏଥିସହ ମୃତ କଳ୍ପନାଙ୍କ ସଂପର୍କୀୟଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ପୋଲିସ। ଏଠାରେ ସୂଚନା ଥାଉ କି ଏହି ହତ୍ୟାକାଣ୍ଡ ଦିନକୁ ଦିନ ଚାଂଚଲ୍ୟକର ମୋଡ ନେଉଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କ ସମେତ ଆଉ ଜଣଙ୍କ ସଂପୃକ୍ତି ଥିବା ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ ସିଂ ।

ଏହାସହ ଏହି ଡବଲ ମର୍ଡର ଘଟଣାରେ କେବଳ ବୋଲେରୋ ଗାଡି ନୁହେଁ, ତାହା ସହ ଏକ ଇନୋଭା ଗାଡି ବ୍ୟବହାର ହୋଇଥିବା‌ ସନ୍ଦେହ କରାଯାଉଛି ବୋଲି କହିଛନ୍ତି ରାୟଗଡ ଏସପି। କଳ୍ପନା ଓ ବବଲିଙ୍କୁ ହତ୍ୟା ପରେ ତାଙ୍କ ପରିଚୟ ନଷ୍ଟ କରିବା ଲାଗି ଶବ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଥିଲା।  ପୁରା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ତଦନ୍ତରେ ସହଯୋଗ କରୁନାହାନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ଆବଶ୍ୟକ ପଡିଲେ ଉଭୟଙ୍କୁ ଓଡ଼ିଶା ନିଆଯିବ ବୋଲି ଏସପି ସନ୍ତୋଷ ସିଂ କହିଛନ୍ତି । ତେବେ ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ଘଟଣାସ୍ଥଳରେ ଡ୍ରାଇଭରକୁ ନେଇଥିଲା ପୋଲିସ ।

ସେଠାରେ ଡେମୋ ଦେଖାଇବା ବେଳେ ଇନୋଭା ଗାଡି ସାମ୍ନାକୁ ଆସିଥିଲା । ତେବେ ପ୍ରଥମରୁ ହତ୍ୟାକାଣ୍ଡରେ ବୋଲେରୋ ଗାଡି ବ୍ୟବହାର କରାଯାଇଥିବା କଥା କୁହାଯାଉଥିବା ବେଳେ ପୋଲିସ କାହିଁକି ଇନୋଭା ଗାଡିକୁ ନେଇ ଡେମୋ ଦେଖାଇଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାସହ ଏହି ଇନୋଭା ଗାଡି କାହାର ଓ ତା ଭିତରେ କିଏ ଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।