ଅତ୍ୟାବଶ୍ୟକ ଓ ଆଂଶିକ ଅତ୍ୟାବଶ୍ୟକ ବିଭାଗ ତାଲିକାରେ ପରିବର୍ତନ

କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ୍‌

ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡ଼ିକୁ ପୂର୍ବରୁ ଦୁଇଟି ବର୍ଗ- କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ରେ ବିଭକ୍ତ କରିଥିଲେ । ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତନ ଅଣାଯାଇଛି ।

କ୍ରିଟିକାଲ ବର୍ଗରେ ଥିବା ବିଭାଗଗୁଡ଼ିକ ହେଲା କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଗୃହ, ଶ୍ରମ, ପଂଚାୟତି ରାଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଇସ୍ପାତ ଓ ଖଣି,ଅବକାରୀ ଆଦି ୧୪ଟି ବିଭାଗ ରହିଛି । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୫୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ ଜରୁରୀ କାମ କରିବେ । ସେହିପରି ପାର୍ସିଆଲି କ୍ରିଟିକାଲ ବିଭାଗରେ ଉପରୋକ୍ତ ୧୪ଟି ବିଭାଗ ବ୍ୟତୀତ ଅନ୍ୟବିଭାଗ ରହିଛି । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୩୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ କାମ କରିପାରିବେ । ଏହି ନୂଆ ନିର୍ଦ୍ଦେଶ ମେ ୪ରୁ ୧୭ ପର୍ଯ୍ୟନ୍ତ ବଳବତର ରହିବ ।

ବିଭିନ୍ନ ବିଭାଗ ନିଜ ଅଧିନରେ ଥିବା ନିଗମ, ଏଜେନ୍ସି, ପିଏସୟୁ ଗୁଡ଼ିକୁ ଚାଲିବା ପାଇଁ ଅନୁମତି ଦେଇପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଓ ଜରୁରୀ କ୍ଷେତ୍ରରେ ଥିବା ନିଗମ,ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଚାଲିପାରିବ ।