ଭାରତର ଜହ୍ନ ଯାତ୍ରା

ଭୁବନେଶ୍ବର :  କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଆଜି ରାତି ୨ଟା ୫୧ । ଗଭୀର ରାତିରେ ସାରା ଦେଶ ଶୋଇଥିବା ବେଳେ ଶ୍ରୀହରିକୋଟା ଥିବ ଚଳଚଞ୍ଚଳ । ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ...

ଭୁବନେଶ୍ବର :  କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଆଜି ରାତି ୨ଟା ୫୧ । ଗଭୀର ରାତିରେ ସାରା ଦେଶ ଶୋଇଥିବା ବେଳେ ଶ୍ରୀହରିକୋଟା ଥିବ ଚଳଚଞ୍ଚଳ । ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଭାରତ ଆରମ୍ଭ କରିବ ମିଶନ ଚନ୍ଦ୍ରଯାନ-୨ । ୨୦୦୮ରେ ଚନ୍ଦ୍ର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ । ଏଥର ୫୨ଦିନ ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ ଆଉ ଖୋଜିବ ପୃଥିବୀ ସୃଷ୍ଟିର ରହସ୍ୟ । ଚନ୍ଦ୍ରରେ ପାଣିର ସନ୍ଧାନ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିବ ଭାରତ । ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଯିବ ଚତୁର୍ଥ ଦେଶ । ୨୦୦୮ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚନ୍ଦ୍ରଯାନ-୨ ମିଶନ ନେଇ ଘୋଷଣା କରିଥିଲେ । ୧୧ବର୍ଷ ପରେ ମିଶନ ସଫଳ ହେବାକୁ ଅପେକ୍ଷା । ଚନ୍ଦ୍ରଯାନ-୨ ମିଶନ ପାଇଁ ଖର୍ଚ୍ଚ ହୋଇଛି ୯୭୮କୋଟି ଟଙ୍କା । ଚନ୍ଦ୍ର ଅଭିଯାନ ପାଇଁ ଚୀନ ୫ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଭାରତର ବଜେଟ୍ ବେଶ କମ । କେବଳ ସେତିକି ନୁହେଁ ରକେଟ୍ ରୁ ଚନ୍ଦ୍ରଯାନ ପର୍ଯ୍ୟନ୍ତ ସବୁ କିଛି ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି । ନଜର ପକାଇବା, କେମିତି ରହିବ ଚନ୍ଦ୍ର ଅଭିଯାନର ପୂରା ପ୍ରକ୍ରିୟା ।

ଚନ୍ଦ୍ରଯାନ-୨କୁ ମହାକାଶକୁ ନେବ GSLV-Mk III ରକେଟ୍ । ଏହା ଭାରତର ବାହୁବଳୀ ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ । GSLV-MkIII ରକେଟ୍ ଓଜନ ୬ଲକ୍ଷ ୪୦ହଜାର କିଲୋଗ୍ରାମ । ମହାକାଶକୁ ୪ହଜାର କିଲୋ ଓଜନ ଉତକ୍ଷେପଣ କରିବାର କ୍ଷମତା ରହିଛି ଏହି ରକେଟ୍‌ର । GSLV-Mk III ରକେଟ୍, ମହାକାଶକୁ ୩୮୭୭କିଲୋ ପେ ଲୋଡ୍‌ ନେଇ ଯାଉଛି । ଯାହା ଭିତରେ ରହିଛି ୨୩୭୯କିଲୋ ଅରବିଟର୍‌, ୧୪୭୧କିଲୋ ଲ୍ୟାଣ୍ଡର ଏବଂ ୨୭କିଲୋ ଓଜନର ରୋଭର ।

ପୃଥିବୀର କକ୍ଷପଥରେ ପହଞ୍ଚିବା ପାଇଁ ୩ଥାକିଆ ରକେଟ୍ ର ଗୋଟିଏ ପରେ ଗୋଟିଏ ଖଣ୍ଡ ବ୍ୟବହାର ହେବ । ୧୬ଦିନ ଧରି ପୃଥିବୀ ଚାରିପଟେ ବୁଲିବ ଚନ୍ଦ୍ରଯାନ । ଏହି ସମୟରେ ସର୍ବାଧିକ ବେଗ ଥିବା ସେକେଣ୍ଡ ପ୍ରତି ୧୦କିମି ଏବଂ ସର୍ବନିମ୍ନ ବେଗ ଥିବ ସେକେଣ୍ଡ ପ୍ରତି ୩କିଲୋମିଟର । ୧୬ଦିନ ପରେ ଏହା ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ଅଭିମୁଖେ ଯିବ । ଏହି ସମୟରେ ଚନ୍ଦ୍ରଯାନ-୨ରୁ ରକେଟ୍ ଅଲଗା ହୋଇଯିବ । ଚନ୍ଦ୍ର କକ୍ଷପଥରେ ପହଞ୍ଚିବା ପାଇଁ ୫ଦିନ ସମୟ ଲାଗିବ । ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ ୨୭ଦିନ ଘୁରିବ । ଏହି ସମୟରେ

ଚନ୍ଦ୍ରଯାନର ସର୍ବାଧିକ ବେଗ ସେକେଣ୍ଡ ପ୍ରତି ୧୦କିମି ଏବଂ ସର୍ବନିମ୍ନ ବେଗ ସେକେଣ୍ଡ ପ୍ରତି ୧କିମି ରହିବ ।

ଚନ୍ଦ୍ର କକ୍ଷପଥରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ-୨ । ଅରବିଟର୍‌ ଏବଂ ଲ୍ୟାଣ୍ଡର ଭାବରେ ଦୁଇ ଭାଗ ହୋଇଯିବ ଚନ୍ଦ୍ରଯାନ । ଚନ୍ଦ୍ର ଚାରିପଟେ ଶହେ କିମି ଉପରେ ଘୁରି ପରିକ୍ଷା ନିରିକ୍ଷା କରିବ ‘ଅରବିଟର୍’ । ଏହାପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ୪ଦିନ ସମୟ ଲାଗିବ । ଶେଷରେ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଲ୍ୟାଣ୍ଡର ‘ବିକ୍ରମ’ । ଭାରତୀୟ ମହାକାଶ ଗବେଷଣାର ପିତାମହ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ନାମ ଅନୁଯାୟୀ ଏହି ଲାଣ୍ଡର ନାଁ ରଖାଯାଇଛି । ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ ଓହ୍ଲାଇବାର ୪ଘଣ୍ଟା ପରେ ଏହା ଭିତରେ ଥିବା ରୋଭର ପ୍ରଜ୍ଞା ଧୀରା ଧୀରେ ବାହାରକୁ ବାହାରି ଆସିବ । ସେକେଣ୍ଡକୁ ୧ସେଣ୍ଟିମିଟର ବେଗରେ ଏହି ରୋଭର୍‌ ଚନ୍ଦ୍ର ପୃଷ୍ଠରେ ଗଡିବ । ଏହା ସୌରଶକ୍ତିରେ ଚାଳିତ ହେବ । ଚନ୍ଦ୍ରପୃଷ୍ଠର ଗଠନ ସଂପର୍କରେ ପରୀକ୍ଷା କରିବା ସହ ସୌରମଣ୍ଡଳ ସୃଷ୍ଟିର ରହସ୍ୟ ଭେଦ କରିବ ରୋଭର ପ୍ରଜ୍ଞା । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବ ଚନ୍ଦ୍ରଯାନ । ଚନ୍ଦ୍ର ଚାରିପାଖେ ୧ବର୍ଷ ଧରି ଅରବିଟର ଘୁରିବ । ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ୧୪ ପୃଥିବୀ ଦିନ ପରୀକ୍ଷା ନିରିକ୍ଷା କରିବ । ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ଦିନ ସହ ସମାନ । ଏହି ୧୪ଦିନରେ ଚନ୍ଦ୍ର ପୃଷ୍ଠର ତନ୍ନ ତନ୍ନ କରି ପରୀକ୍ଷା କରିବ ଚନ୍ଦ୍ରଯାନ, ଆଉ ତାସହ ମାନବ ସଭ୍ୟତା ପାଇଁ ନୂଆ ଆଶାର ସନ୍ଧାନ କରିବ । 

Spread the love
Categories
ଦେଶ-ବିଦେଶବଡ ଖବର

RELATED BY