ଇତିହାସ ରଚିଲା ଇସ୍ରୋ: ଚନ୍ଦ୍ରପୃଷ୍ଠକୁ ଗଲା ଚନ୍ଦ୍ରଯାନ-୨

ବିଜୟନଗର: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ପରିଶେଷରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୨। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି କରିଛି। ପୂର୍ବ ନିର୍ଦ୍ଧାରିତ ସମୟ ସୋମବାର ଠିକ୍ ଅପରାହ୍ନ ୨ଟା ୪୩ରେ ମହାକାଶ ଯାନ ଜିଏସଏଲଭି ଏମକେ-୩ ଚନ୍ଦ୍ରଯାନ-୨କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଚନ୍ଦ୍ରଯାନ-୨ ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତି କେହି ପହଞ୍ଚିପାରି ନାହାନ୍ତି। ଚନ୍ଦ୍ରଯାନ-୨ ଆଗାମୀ ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ। ଏହା ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୪ର୍ଥ ଦେଶ ହେବ। ଏହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ନିଜର ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି। କିନ୍ତୁ କୌଣସି ଦେଶ ଏଯାଏ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚିପାରି ନ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଚନ୍ଦ୍ରଯାନ-୨ ମିଶନରେ ବ୍ୟବହୃତ ମହାକାଶ ଯାନ ଜିଏସଏଲଭି ଏମକେ ୩ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଚନ୍ଦ୍ରଯାନ-୨ରେ ୩ଟି ମଡ୍ୟୁଲ ଯଥା ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ମହାକାଶକୁ ପ୍ରେରଣ କରାଯାଇଛି। ଲ୍ୟାଣ୍ଡରଟିର ନାଁ ବିକ୍ରମ ରଖାଯାଇଥିବାବେଳେ ରୋଭରଟିର ନାଁ ପ୍ରଜ୍ଞାନ ରହିଛି। ଅର୍ବିଟର ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ। ରୋଭର ପ୍ରଜ୍ଞାନକୁ ଲ୍ୟାଣ୍ଡର ବିକ୍ରମ ମଧ୍ୟରେରଖାଯାଇଛି। ଲ୍ୟାଣ୍ଡରଟି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ୬ ଚକିଆ ରୋଭର ପ୍ରଜ୍ଞାନକୁ ସେଠାରେ ମୁତୟନ କରାଯିବ। ପ୍ରଜ୍ଞାନ ସେଠାରେ ବିଭିନ୍ନ ପରୀକ୍ଷଣ କରିବ। ପୃଥିବୀ ପୃଷ୍ଠରୁ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ନିୟନ୍ତ୍ରଣ କରିବେ। ୧୦ ବର୍ଷ ମଧ୍ୟରେ ଭାରତ ୨ୟ ଥର ପାଇଁ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇଛି। ୨୦୦୯ରେ ଭାରତ ପ୍ରଥମ ଥର ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଚନ୍ଦ୍ରଯାନ-୧ରେ କୌଣସି ରୋଭରକୁ ସାମିଲ କରାଯାଇ ନ ଥିଲା। ଚନ୍ଦ୍ରଯାନ-୨ ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।