ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଆୟକର ବିଭାଗର ଚଢ଼ାଉକୁ ବିରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାର ଜାଣି ଜାଣି ବିରୋଧୀ ପ୍ରାର୍ଥୀଙ୍କୁ ହଇରାଣ କରିବା ଲାଗି ଆୟକର ବିଭାଗକୁ ବ୍ୟବହାର କରୁଥିବା ଚନ୍ଦ୍ରବାବାବୁ ଅଭିଯୋଗ କରି ଧାରଣା ଦେଇଛନ୍ତି। ଶୁକ୍ରବାର ଚନ୍ଦ୍ରବାବୁ ବିଜୟୱାଡାରେ ଧାରଣା ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି।
ସୂଚନାଯୋଗ୍ୟ, ଗତ ବୁଧବାର ଆନ୍ଧ୍ରପ୍ରଦେଶର ଟିଡିପି ପ୍ରାର୍ଥୀ ପୁତ୍ତା ସୁଧାକର ଯାଦବଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଦବ ଏହାକୁ ନିର୍ବାଚନୀ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତାଙ୍କ ପାଖରେ ଲୁଚାଇ ରଖିବାକୁ କିଛି ନାହିଁ ବୋଲି ଯାଦବ କହିଛନ୍ତି। ଚଢ଼ାଉ ସମୟରେ ସାଂସଦ ସି.ଏମ. ରମେଶ ସେଠାରେ ପହଞ୍ଚି କେନ୍ଦ୍ର ସରକାର ଟିଡିପି ନେତାମାନଙ୍କୁ ଟାର୍ଗେଟ କରି ଚଢ଼ାଉ କରିବାକୁ ପଠାଇଛି କି ବୋଲି ଆୟକର ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ।