ଭାରତ ଗସ୍ତରେ ଜର୍ମାନୀ ଚାନ୍ସେଲର ମର୍କେଲ

ନୂଆଦିଲ୍ଲୀ:ଜର୍ମାନୀର ଚାନ୍ସେଲର ୨ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସହ କେତେକ ଦ୍ଵିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଵେ। ଦୁଇ ଦେଶ ମଧ୍ୟରେ ପାଖାପାଖି ୨୦ଟି ଚୁକ୍ତି ସ୍ଵାକ୍ଷରିତ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ସକାଳେ ମର୍କେଲ ରାଷ୍ଟ୍ରପତି ଭବନରେ ପହଁଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି। ଏହି ସମୟରେ ସେ ଭାରତୀୟ ଅଧିକାରୀ ଓ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି। 

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ସାକ୍ଷାତ କରିବା ପରେ ମର୍କେଲ କହିଛନ୍ତି ଯେ, ଭାରତ ଆସି ମୁଁ ଖୁବ୍ ଖୁସୀ ଅନୁଭବ କରୁଛି। ଭାରତ ଓ ଜର୍ମାନୀ ମଧ୍ୟରେ ଭଲ ସମ୍ପର୍କ ରହିଛି। ବିବିଧତା ମଧ୍ୟରେ ଏକତା ରଖୁଥିବା ଦେଶ ଭାରତ ପ୍ରତି ଜର୍ମାନୀର ସମ୍ମାନ ରହିଛି। ଗତକାଲି ସନ୍ଧ୍ୟାରେ ମର୍କେଲ ନୂଆଦିଲ୍ଲୀ ବିମାନବନ୍ଦରରେ ପହଁଚିଥିଲେ। ସେଠାରେ ତାଙ୍କୁ ରାଜ୍ୟମନ୍ତ୍ରୀ ଜୀତେନ୍ଦ୍ର ସିଂହ ସ୍ଵାଗତ କରିଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଞ୍ଜେଲା ହାଇଦ୍ରାବାଦ ହାଉସରେ ସାକ୍ଷାତ କରିବେ। ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ପାଖାପାଖି ୨୦ଟି ଚୁକ୍ତି ସ୍ଵାକ୍ଷରିତ ହେବ ବୋଲି ଅନୁମାନ କରାଯାଉଛି। 

ମର୍କେଲ ଙ୍କ ଗସ୍ତକୁ ନେଇ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ଵିଟ୍ କରି ଲେଖିଛନ୍ତି କି, ଦୁଇ ଦେଶ ମଧ୍ୟରେ ଏହି ସାକ୍ଷାତକାର ରଣନୈତିକ ସମ୍ବନ୍ଧକୁ ସୁଦୃଢ କରିବ। ଏଞ୍ଜେଲା ମର୍କେଲ ଏଥିପାଇଁ ଭାରତ ଗସ୍ତରେ ଆସିଛନ୍ତି। ତେବେ ଏକ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ୫ମ ବୈଠକ।