ଆଜି ବି ଚାଲିଛି ବିଦ୍ୟୁତ୍ କାଟ ସହ ବକେୟା ଆଦାୟ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ସେସୁ ପକ୍ଷରୁ ବକେୟା ଆଦାୟ ସହ ବିଦ୍ୟୁତ୍ କାଟ ପ୍ରକ୍ରିୟା ଜାରି ରହିଛି ।କଟକ ସହରର ମଧୁପାଟଣା, ବାଦାମବାଡ଼ି, ଦୋଳମୁଣ୍ଡାଇ ଓ ବକ୍ସି ବଜାର ଅଂଚଳରେ ବକେୟା ବିଲ ପୈଠ କରିନଥିବା ଅନେକ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ୍ କାଟ କରିଛି ସେସୁ । ଅନେକ ଉପଭୋକ୍ତା ବକେୟା ବିଲର ୩୦ ପ୍ରତିଶତ ଦେଇ ବାକି ଟଙ୍କା କିସ୍ତିରେ ଶୁଝିବାକୁ କହିଥିବାବେଳେ, ସେସୁ ନିଜ ନିଷ୍ପତିରେ ଅଟଳ ରହିଛି ।

ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ସେସୁ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସେସୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୧୫୪୫ଜଣ ଉପଭୋକ୍ତାଙ୍କର ବିଦ୍ୟୁତ ସଂଯୋଗ କଟା ଯାଇଛି । ବକେୟା ବିଲ ବାବଦରେ ୫ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଛି । ପୁରୀରେ ସବୁଠୁ ଅଧିକ ବକେୟା ବିଲ୍ ଆଦାୟ ହୋଇଛି ।

ଖୋର୍ଦ୍ଧା ଗୁରୁଜଙ୍ଗରେ ବିଦ୍ୟୁତ କାଟ ସମୟରେ ଉତେଜନା ସୃଷ୍ଟି ହୋଇଥିଲା । ଗାଁଲୋକେ ଲାଇନ୍ କାଟିବା ପାଇଁ ଯାଇଥିବା ଅଧିକାରୀଙ୍କ ଗାଡ଼ି ଅଟକାଇଥିଲେ । ଏଠାରେ ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଅଧିକ ଟଙ୍କା ବାକି ରହିଥିବା ଜଣାଯାଇଛି ।

କଟକରେ ବିଦ୍ୟୁତ ବିଲ ବକେୟା ରଖିଥିବା ୪୭ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦ୍ୟୁତ କାଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅଛନ୍ତି ସେସୁ ଟାର୍ଗେଟରେ ସ୍ୱଚ୍ଛଳ ବର୍ଗର ଉପଭୋକ୍ତା, ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି । ସେମାନଙ୍କ ଘରୁ ବିଜୁଳି ସଂଯୋଗ କାଟିବେ ସେସୁ କର୍ମଚାରୀ । ଗୁରୁବାର ୧୪ ହଜାର ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଥିବାରୁ ସେସୁ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି ।