ଏଥର ବିଜୁଳି ବିଲ୍ ଭରିବା ହେଲା ସହଜ; ସେସୁ ଖୋଲିଲା ୧୬୦ କାଉଂଟର

ସେସୁ-ଏୟାରଟେଲ ମଧ୍ୟରେ ସହବନ୍ଧନ

ଭୁବନେଶ୍ୱର: ଏଥର ବିଜୁଳି ବିଲ ଭରିବା ପାଇଁ ଗ୍ରାହକମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । କାରଣ ବିଲ୍ ଭରିବା ପାଇଁ ସେସୁ ଏୟାରଟେଲର ସହବନ୍ଧନରେ କଟକ ଓ ଭୁବନେଶ୍ୱରରେ ୧୬୦ଟି ଏୟାରଟେଲ ପେମେଂଟ ବ୍ୟାଙ୍କ କାଉଂଟର ଖୋଲିଛି । ଆଗକୁ ରାଜ୍ୟର ସେସୁ କାମ କରୁଥିବା ସମସ୍ତ ଜିଲ୍ଲାରେ ୨୭ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହି ସେବା ଉପଲବ୍ଧ ହେବା ପାଇଁ ୧୦ ହଜାର କାଉଂଟର ଖୋଲାଯିବାକୁ ଯୋଜନା ରହିଛି। ସହିଦ ନଗରଠାରେ ଏକ କାଉଂଟରକୁ ଉଦ୍‌ଘାଟନ କରିବା ଅବସରରେ ମହା ପ୍ରବନ୍ଧକ(ବାଣିଜ୍ୟିକ) ମନୋଜ ସିଂହ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ମୋବାଇଲ୍‌ ‘ଏୟାରଟେଲ୍‌ ପେମେଂଟ ବ୍ୟାଙ୍କ୍‌’ ଆପ୍‌ ଜରିଆରେ ଘରେ ବସି ମଧ୍ୟ ବିଜୁଳି ବିଲ୍ ଜମା କରିହେବ।

କଟକ ଓ ଭୁବନେଶ୍ବରରେ ସେସୁର ୫୬ଟି କାଉଂଟର ରହିଛି। ଯେଉଁଠି ବିଜୁଳି ବିଲ୍‌ଜମା କରିବା ପାଇଁ ସମସ୍ୟା ହେଉଛି। ଏବେ ବକେୟା ବିଜୁଳି ବିଲ୍‌ ଜମା କରିବା ପାଇଁ ତନାଘନା କରାଯାଉଥିବାରୁ ଅନେକ ସଚ୍ଚୋଟ ଉପଭୋକ୍ତା ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବକେୟା ବିଲ୍‌ ଜମା କରିବା ପାଇଁ ଚାହୁଛନ୍ତି। ସେଥିପାଇଁ ଆଉ ୧୬୦ କାଉଂଟର ଖୋଲିବା ପାଇଁ ସେସୁ ଏୟାରଟେଲ୍‌ ସହବନ୍ଧିତ ହୋଇଛନ୍ତି। ଏବେ ସେସୁର ୧୪ଟି କମ୍ପ୍ୟୁଟର ଚାଳିତ କାଉଂଟର ରହିଛି। ପାଖାପାଖି ୯୦ ହଜାର ଉପଭୋକ୍ତା ଅନ୍‌ଲାଇନ୍‌ ଜରିଆରେ ପୈଠ କରୁଛନ୍ତି। ଏହି ନୂତନ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ରିହାତି ମିଳିବ। ରିହାତି ଅବଧୀ ମଧ୍ୟରେ ଜମା କଲେ ଉପଭୋକ୍ତା ଏହି ସୁଯୋଗ ପାଇପାରିବେ ବୋଲି ବୋଲି ସେସୁ ସୂଚନା ଦେଇଛି।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ)ସୁବ୍ରତ କୁମାର ମିଶ୍ର, ବରିଷ୍ଠ ମହା ପ୍ରବନ୍ଧକ (ପ୍ରଯୁକ୍ତିବିଦ୍ୟା) ପି. ସ୍ବାଇଁ ପ୍ରମୁଖ ଉପସ୍ଥିତ ଥି‌ଲେ।