ପାଟକୁରା ନିର୍ବାଚନ ପାଇଁ ନୂଆ ନିୟମ ଆଣିଲେ ସିଇଓ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବାକି ରହିଲା ଆଉ ମାତ୍ର ଦିନଟିଏ । ପାଟକୁରା ମତଦାନ ବେଳେ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । 

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ମତଦାନ ଆସନ୍ତା ୨୦ରେ ହେବ । ଭୋଟ ଗଣତି ହୋଇ ଏହାର ଫଳାଫଳ ଜୁଲାଇ ୨୪ରେ ଆସିବ । ତେଣୁ କୈାଣସି ବୁଥରେ ସାନି ମତଦାନ ହେଲେ ଅନାମିକା ଆଙ୍ଗୁଳିରେ କାଳି ଲଗାଯିବା ନିୟମ ରହିଛି । ତେଣୁ ପାଟକୁରାରେ ମତଦାନ ବେଳେ ଭୋଟରଙ୍କ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । 

ପାଟକୁରା ନିର୍ବାଚନ ମତଦାନ ପାଇଁ ୩୦୯ଟି ବୁଥ ଓ ପ୍ରିଜାଇଡ଼ଂ ଅଫିସର ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡ଼ିଂ ଓ ୪ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ମତଦାନ ପାଇଁ ପାଟକୁରାର ବିଭିନ୍ନ ବୁଥକୁ ଇଭିଏମ ପଠା କାର୍ଯ୍ୟ ଆରମ୍ଭ ହୋଇଛି । ଏହାସହ କର୍ମଚାରୀଙ୍କୁ ମଧ୍ୟ ନିଜ ନିଜ ବୁଥକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ କାରଣରୁ ମତଦାନ ସ୍ଥଗିତ ରହିଥିଲା । ପରେ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଫୋନି ପାଇଁ ପରିବର୍ତ୍ତନ କରାଯାଇ ଜୁଲାଇ ୨୦କୁ ଘୁଂଚାଯାଇଥିଲା । ଏହି ଆସନରେ ବର୍ତ୍ତମାନ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ କଡ଼ା ଟକ୍କର ହେବ ।