ଏହି ସବୁ ନେତାଙ୍କୁ ଆଉ ମିଳିବନି ସ୍ୱତନ୍ତ୍ର କେନ୍ଦ୍ରୀୟ ସୁରକ୍ଷା

ନୂଆଦିଲ୍ଲୀ: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବିଏସ୍‌ପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ୟୁପି ବିଜେପି ନେତା ସଂଗୀତ ସୋମ ଓ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଏହାବାଦ୍‌ ୟୁପି ସରକାରରେ ମନ୍ତ୍ରୀ ଥିବା ସୁରେଶ ରାଣା, ଏଲଜେପି ସାଂସଦ ଚିରାଗ ପାଶ୍ୱାନ ଓ ପୂର୍ବତନ ସାଂସଦ ପପୁ ଯାଦବଙ୍କ ସୁରକ୍ଷାକୁ ହ୍ରାସ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏମାନଙ୍କୁ ସିଆରପିଏଫ୍‌ ସୁରକ୍ଷା କବଚ ମିଳୁଥିଲା। ହେଲେ ଏବେ ଏହାକୁ ହ୍ରାସ କରି ‘ୱାଇ’ ଶ୍ରେଣୀଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବଙ୍କ ଠାରୁ ଜେଡ୍ ପ୍ଲସ୍ ସୁରକ୍ଷା ଉଠାଇ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ଅଖିଲେଶଙ୍କୁ ବ୍ଲାକ କ୍ୟାଟ୍ କମାଣ୍ଡୋ ଆଉ ସୁରକ୍ଷା ଯୋଗାଇବେ ନାହିଁ। ଅବଶ୍ୟ ରାଜ୍ୟ ପୁଲିସ୍‌ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ତେବେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବ୍ଲାକ କ୍ୟାଟ୍ କମାଣ୍ଡୋ ସୁରକ୍ଷା ବଳବତ୍ତର ରହିବ। ୨୦୧୨ ମସିହାରେ ଅଖିଲେଶଙ୍କୁ ବ୍ଲାକ କ୍ୟାଟ୍‌ କମାଣ୍ଡୋର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଅଖିଲେଶଙ୍କ ସୁରକ୍ଷାରେ ୨୨ ଜଣ ସଶସ୍ତ୍ର ଏନ୍‌ଏସଜି କମାଣ୍ଡୋ ନିୟୋଜିତ ହୋଇଥିଲେ।