କଙ୍ଗନାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷା ଯୋଗାଇଲେ ଗୃହମନ୍ତ୍ରୀ

ମୁମ୍ବାଇ: ଏବେ ଦେଶର ବଡ ପ୍ରସଙ୍ଗ ସାଜିଛି ବି-ଟାଉନ କୁଇନ କଙ୍ଗନା ରଣାୱତ ଓ ଶିବସେନାଙ୍କ କଳି । କିଛି ଦିନ ହେବ ଖୁଲମଖୁଲା ଶିବସେନା ନେତାଙ୍କୁ ଧମକ ଦେଇ ଚର୍ଚ୍ଚାରେ କଙ୍ଗନା । ସେହିପରି ଶିବସେନାର ମଧ୍ୟ କିଛି ନେତା ସୋସିଆଲ ମିଡିଆରେ ତାଙ୍କୁ ଧମକାଉଥିବାର ନଜର ଆସୁଛନ୍ତି । ଯାହାକୁ ଆଧାର କରି ହିମାଚଳ ପ୍ରଦେଶ ସରକାର ପ୍ରଥମେ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ତାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷା ଦିଆଯିବ । ଏହି ନିଷ୍ପତ୍ତି ଗୃହ ମନ୍ତ୍ରାଳୟ ତରଫରୁ ନିଆଯାଇଛି ।

ଏହି ସୁରକ୍ଷା ପାଇଁ ତାଙ୍କୁ ଅନୁମତି ମିଳିବା ପରେ ସେ କେନ୍ଦ୍ରର ପ୍ରଶଂସା କରି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ‘ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଋଣି । ସେ ଚାହିଁଥିଲେ ଏପରି ପରିସ୍ଥିତିରେ ମତେ କିଛି ଦିନ ପରେ ମୁମ୍ବାଇ ଫେରିବାକୁ ପରାର୍ମଶ ଦେଇପାରିଥାଆନ୍ତେ । ହେଲେ ସେ ଭାରତର ଜଣେ ଝିଅକୁ ସୁରକ୍ଷା ଦେବାକୁ ସ୍ଥିର କରିଛନ୍ତି । ଆମ ସ୍ୱାଭିମାନ ଓ ଆତ୍ମସମ୍ମାନ ବଜାଇ ରଖିଛନ୍ତି । ଜୟ ହିନ୍ଦ ।’

ପ୍ରକାଶ ଥାଉକି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ କଥିତ ରୂପେ ବଲିଉଡରେ ଚାଲିଥିବା ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇ ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରିସାରିଲେଣି । ଏହାବ୍ୟତୀତ ସେ ମୁମ୍ବାଇ ପୋଲିସ ଓ ଶିବସେନା ନେତାଙ୍କୁ ମଧ୍ୟ କଡା ଜବାବ ଦେବାରେ ଲାଗିଛନ୍ତି । ଏହି କ୍ରମରେ କଙ୍ଗନା ଓ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟରେ ଯୁକ୍ତିତର୍କ ଜାରି ଅଛି । ସଞ୍ଜୟ ତାଙ୍କୁ ମୁମ୍ବାଇ ନଆସିବାକୁ ଧମକ ଦେଇଥିଲେ । ଆଉ କଙ୍ଗନା ମଧ୍ୟ ଟୁଇଟ କରି ସମସ୍ତଙ୍କୁ ଚ୍ୟାଲେଞ୍ଜ କରିଥିଲେ ସେ ମୁମ୍ବାଇ ଫେରିବା କଥା କହି । ଯାହାପରେ ଚର୍ଚ୍ଚା ଜୋର ଧରିଥିଲା ।