ଆଜି ୪ ଜିଲ୍ଲାରେ ବୁଲବୁଲ କ୍ଷୟକ୍ଷତିର ସମୀକ୍ଷା କରିବ କେନ୍ଦ୍ରୀୟ ଟିମ୍

କେନ୍ଦ୍ରାପଡା:ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିଥିବା ସାତ ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର କାର୍ଯ୍ୟକ୍ରମ ଚୂଡ଼ାନ୍ତ  ହୋଇଛି। ଗତକାଲି କେନ୍ଦ୍ରୀୟ ଦଳ ହେଲିକପ୍ଟର ଯୋଗେ ଭଦ୍ରକର ଧାମରାରେ ପହଞ୍ଚିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷ ଏହି ଦଳର ନେତୃତ୍ଵ ନେଇଛନ୍ତି। ଆଜି କେନ୍ଦ୍ରୀୟ ଦଳ ଦୁଇ ଭାଗ ହୋଇ ୪ଟି ଜିଲ୍ଲା ଗସ୍ତ କରିବେ। 

ଏହି ପ୍ରତିନିଧି ଦଳରେ  ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଙ୍ଘଲ,  ଖର୍ଚ୍ଚ ବିଭାଗ ପରାମର୍ଶଦାତା ଦିନା ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପ ସଚିବ ଏସ ଏସ ମୋଦୀ,  ଓଡ଼ିଶାରେ ଥିବା କେନ୍ଦ୍ରୀୟ  ଜଳ ଆୟୋଗର ଅଧୀକ୍ଷଣ ଯନ୍ତ୍ରୀ  ଅମରିଶ ପାଲ ସିଂହ, ପାଟନା ସ୍ଥିତ କୃଷି ବିଭାଗ ଡିଆରଡ଼ି ନିର୍ଦ୍ଦେଶକ ଡ. ବୀରେନ୍ଦ୍ର ସିଂହ, ସଡ଼କ ପରିବହନ ମନ୍ତ୍ରଣାଳୟ ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟର ସୁନିଲ କୁମାର ସାମିଲ। 

ଏହି ସାତ ଜଣିଆ ପ୍ରତିନିଧି ଦଳ ଆଜି ଦୁଇ ଭାଗ ହୋଇ ୪ଟି ଜିଲ୍ଲା ଗସ୍ତ କରିବେ। ଗୋଟିଏ ଦଳ ପୂର୍ବାହ୍ନରେ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଅନୁଧ୍ୟାନ କରିବେ। ଏହା ପରେ ଅପରାହ୍ନରେ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନୁଧ୍ୟାନ କରିବେ।  ଆଉ ଗୋଟିଏ ଦଳ ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ ଏବଂ ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ/ଏରସମା ବ୍ଲକ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ। ଏହା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିବେ। 

ସୂଚନାଯୋଗ୍ୟ, ବାତ୍ୟା ବୁଲବୁଲ ପ୍ରଭାବରେ ରାଜ୍ୟର ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି। କ୍ଷୟକ୍ଷତି ଆକଳନ କରି ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।