ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ – ଧର୍ମେନ୍ଦ୍ର ପ୍ରଧାନ

ମାହାଙ୍ଗାରେ ଦିବଙ୍ଗତ ବିଜେପି ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ

କଟକ/ମାହାଙ୍ଗା :  କଟକ ମାହାଙ୍ଗା ଅଂଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଏହି ଦିବଙ୍ଗତ ନେତାଙ୍କ ଶ୍ରଦ୍ଧାଞ୍ଜଳି ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ପୋଲିସ ଡ଼ିଜିପି ତଥା ପ୍ରଶାସନକୁ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ଦାବୀ କରିଛନ୍ତି ।

 ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ
 ଉଭୟ ଦିବଙ୍ଗତ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଦାବୀ କଲେ କେନ୍ଦ୍ରମନ୍ତ୍ରୀ
 ଦିପ୍ତୀକାନ୍ତ ସାହୁ ଏବଂ ବିକାଶ ଜେନା ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କୁ ଖଲାସ୍ କାହିଁକି କରାଗଲା
 ଅସହିଷ୍ଣୁ ହୋଇ ବିଜେପି ନେତାଙ୍କୁ ହତ୍ୟା
 ଘଟଣାରେ ଶାସକ ଦଳର ନେତା ପ୍ରଥମ ଦିନ ଗୋଟିଏ କଥା କହୁଥିବା ବେଳେ ଘଟଣାର ଅଭିଯୁକ୍ତ ଆଉ ଗୋଟିଏ କଥା କହୁଛି
 ସମ୍ବିଧାନ ଓ ବ୍ୟବସ୍ଥାରେ ବିଶ୍ୱାସ କରି ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଜାରୀ ରଖିବ ବିଜେପି
ଶ୍ରୀ ପ୍ରଧାନ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଆୟୋଜିତ ଏହି ସମାବେଶରେ କହିଛନ୍ତି ଯେ ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଗରିବ ଲୋକଙ୍କ ମୁଣ୍ଡରେ ପକ୍କା ଛାତ ଘର ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ପଠାଉଛନ୍ତି । ମାତ୍ର ଏଠାରେ କ୍ଷମତାରେ ଥିବା ଲୋକଙ୍କ ଅବ୍ୟବସ୍ଥା କାରଣରୁ ଟଙ୍କାକୁ ଅପାତ୍ରଙ୍କୁ ଦିଆଯାଉଛି । ତେବେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଯୋଗ୍ୟ ପାତ୍ର ମିଳୁ । ଓଡ଼ିଶାରେ ବିଜେପି ଦଳ ସମ୍ବିଧାନ ଓ ବ୍ୟବସ୍ଥାରେ ବିଶ୍ୱାସ କରି ଅନ୍ୟାୟ, ଅତ୍ୟାଚାର ଓ ନୀତି ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଦିନେ ପୂର୍ବପୁରୁଷଙ୍କ କାମ ପାଇଁ ପ୍ରସିଦ୍ଧ ଥିବା ମାହାଙ୍ଗା ଅଂଚଳ ଏବେ ରାଜନୈତିକ ହିଂସା ପାଇଁ ପରିଚିତ । ୨୦୧୪ରେ ଦିପ୍ତୀକାନ୍ତ ସାହୁ ଏବଂ ୨୦୧୮ରେ ବିକାଶ ଜେନା ହତ୍ୟାକାଣ୍ଡ ଏ ହତ୍ୟାକାଣ୍ଡ ସହ ସଂଶ୍ଲିଷ୍ଟ । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ କାହିଁକି ଖଲାସ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଅସହିଷ୍ଣୁ ହୋଇ ଏହି ଦୁଇଟି ହତ୍ୟାକାଣ୍ଡ କରାଯାଇଛି । ତେବେ ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ । ଏହି ଘଟଣାରେ ଶାସକ ଦଳର ନେତା ପ୍ରଥମ ଦିନ ଗୋଟିଏ କଥା କହୁଥିବା ବେଳେ ଘଟଣାର ଅଭିଯୁକ୍ତ ଆଉ ଗୋଟିଏ କଥା କହୁଛି । ତେଣୁ ଏଥିରୁ ଏହି ଘଟଣାରେ ଷଡଯନ୍ତ୍ର ଥିବା ସ୍ପଷ୍ଟ ବାରି ହେଉଛି ।