କେନ୍ଦ୍ର ଜଙ୍ଗଲ ବିଭାଗ ରିପୋର୍ଟ, ଓଡିଶାରେ ବଢିଛି ହେନ୍ତାଳବନ

ଭୁବନେଶ୍ବର: ଓଡିଶାରେ ବଢିଛି ହେନ୍ତାଳବନ । ଗତ ତିନି ବର୍ଷରେ ରାଜ୍ୟର ୮ କିମି ହେନ୍ତାଳବନ ବୃଦ୍ଧି ପାଇଛି । ଦେଶରେ ହେନ୍ତାଳବନ ବୃଦ୍ଧି କରିବାରେ ଗୁଜୁରାଟ ଓ ମହାରାଷ୍ଟ୍ର ପରେ ଓଡିଶା ହେଉଛି ତୃତୀୟ ରାଜ୍ୟ । ଗୁଜୁରାଟରେ ୩୭ କିମି ଓ ମହାରାଷ୍ଟ୍ରରେ ୧୬ କିମି ହେନ୍ତାଳବନ ତିନି ବର୍ଷରେ ବଢିଛି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏହି ରିପୋର୍ଟ ଉନ୍ନମୋଚନ କରିଛନ୍ତି । ସମଗ୍ର ଦେଶରେ ଗଛ ସଂଖ୍ୟା ଓ ଜଙ୍ଗଲ ଅଞ୍ଚଳ ୫,୧୮୮ କିମି ବୃଦ୍ଧି ପାଇଛି। ଦୁଇ ବର୍ଷ ମଧ୍ୟରେ ଜଙ୍ଗଲର ପରିଧି ଏପରି ବୃଦ୍ଧି ପାଇଥିବା ୨୦୧୯ ଜଙ୍ଗଲ ରିପୋର୍ଟରେ କୁହାଯାଇଛି।

ସାମଗ୍ରିକ ଭାବେ ଦେଶରେ ୮୦.୭୩ ନିୟୁତ ହେକ୍ଟର ଜଙ୍ଗଲ ରହିଛି। ଏହା ମୋଟ ଭୂଭାଗର ୨୪.୫୬ ପ୍ରତିଶତ। ବିଶେଷ କରି କର୍ଣ୍ଣାଟକା, ଆନ୍ଧ୍ର ପ୍ରଦେଶ, କେରଳ, ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଥିବା କୁହାଯାଇଛି।

କର୍ଣ୍ଣାଟକାରେ ୧,୦୨୫ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୯୯୦ କିମି ଓ କେରଳରେ ୮୨୩ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଛି। ସମଗ୍ର ଦେଶରେ ଜଙ୍ଗଲ ଓ ଗଛ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ନର୍ଥଇଷ୍ଟ ରିଜନରେ ୭୬୫ କିମି ଜଙ୍ଗଲ ଅଞ୍ଚଳ ହ୍ରାସ ପାଇଛି ବୋଲି ସୂଚନା ରହିଛି ।