‘ଗଗନୟାନ’ ପାଇଁ ୧୦ ହଜାର କୋଟି ୩ ଭାରତୀୟଙ୍କୁ ୭ ଦିନ ପାଇଁ ମହାକାଶକୁ ପଠାଯିବ

ନୂଆଦିଲ୍ଲୀ : ୨୦୨୨ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୩ ଭାରତୀୟଙ୍କୁ ୭ ଦିନ ପାଇଁ ମହାକାଶକୁ ପଠାଯିବ । ଏହି ମାନବ ମିଶନ ଏବଂ ୨ଟି ମାନବ ରହିତ ମିଶନ ଲାଗି ‘ଗଗନୟାନ’ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭାରତର ଗଗନୟାନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ଏ କ୍ଷେତ୍ରରେ ବିଶ୍ୱର ୪ର୍ଥ ରାଷ୍ଟ୍ର ଭାବେ ଗଣାହେବ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ୱାଧୀନତା ଦିବସ ଉଦ୍ବୋଧନରେ ଘୋଷଣା କରିଥିଲେ ଯେ, ୨୦୨୨ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମାନବ ମିଶନ କାର୍ଯ୍ୟକାରୀ ହେବ । ଭାରତର ଜଣେ ପୁଅ ବା ଝିଅ ହାତରେ ତ୍ରିରଙ୍ଗା ଧରି ମହାକାଶ ଯାତ୍ରା କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତର ଏହି ଲକ୍ଷ୍ୟ ପୂରଣ ହେବ ବୋଲି ମୋଦୀ କହିଥିଲେ । ମହାକାଶକୁ ମାନବ ପଠାଯିବା ପାଇଁ ଜିଏସ୍ଏଲ୍ଭି ଏମ୍କେ-୩ ବ୍ୟବହାର କରାଯିବ । ପୃଥିବୀ କକ୍ଷପଥର ୩୦୦-୪୦୦ କିଲୋମିଟର ନିମ୍ନ ଭାଗରେ ମହାକାଶ ଯାନ ସ୍ଥାପିତ ହେବ । ଉତ୍କ୍ଷେପଣର ୧୬ ମିନିଟ୍ ମଧ୍ୟରେ ମହାକାଶ ଯାନ କକ୍ଷ ପଥରେ ପହଞ୍ôଚବ । ମହାକାଶଚାରୀମାନେ ପୃଥିବୀ ପୃଷ୍ଠକୁ ଫେରିଲା ବେଳେ ଆରବ ସାଗରର ଗୁଜରାଟ ଉପକୂଳ କିମ୍ବା ବଙ୍ଗୋପସାଗର ଉପକୂଳ ଅଥବା ଭୂମିରେ ଅବତରଣ କରିବେ । ଭାରତୀୟ ବାୟୁସେନା ସହଯୋଗରେ ଇସ୍ରୋ ୩ ଜଣ ମହାକାଶଚାରୀ ବାଛୁଛି । କିନ୍ତୁ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଇତିମଧ୍ୟରେ ଲଞ୍ଚ୍ ହେବାକୁ ଥିବା ଜିଏସ୍ଏଲ୍ଭି ଏମ୍କେ-୩ ବିକଶିତ କରିସାରିଲାଣି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।