ତିନି ତଲାକ୍ ଦଣ୍ଡନୀୟ ଅପରାଧ

ଥାନା ନୁହେଁ ଅଦାଲତ ଦେଇପାରିବେ ଜାମିନ

ନୂଆଦିଲ୍ଲୀ : ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବା ଉଦ୍ଦେଶ୍ୟରେ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ସେ ତିନି ତଲାକ୍ ବିଲ୍ଟି ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାର ଅନୁମୋଦନ ପାଇପାରି ନାହିଁ । ତେଣୁ ଅଧ୍ୟାଦେଶ ଜରିଆରେ ସରକାର ଏହାକୁ ଆଇନରେ ପରିଣତ କରିଛନ୍ତି । ସେ ପୁଣି କହିଛନ୍ତି ଯେ ଗତ ବର୍ଷ ସୁପ୍ରିମକୋର୍ଟ ତିନି ତଲାକ୍ ପ୍ରଥାକୁ ଅବୈଧ ଘୋଷଣା କରିଥିଲେ ମଧ୍ୟ ମୁସଲିମ ସଂପ୍ରଦାୟରେ ଏହା ଏବେ ବି ପ୍ରଚଳିତ ଅଛି । ତେଣୁ ଏହାକୁ ଦଣ୍ଡନୀୟ ଅପରାଧରେ ପରିଣତ କରିବା ପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି । ମୁସଲିମ ମହିଳା ବିବାହ ଆଇନରେ ଅଧିକାର ସୁରକ୍ଷା ବିଲ୍ ଗତ ବର୍ଷ ଲୋକସଭାରେ ଗୃହୀତ ହୋଇଥିଲା । କିନ୍ତୁ ଏହା ରାଜ୍ୟସଭାର ଅନୁମୋଦନ ଲାଭ କରିପାରି ନଥିଲା । ଲୋକସଭାରେ ଯେଉଁ ବିଲ୍ ଗୃହୀତ ହୋଇଥିଲା ସେଥିରେ କେନ୍ଦ୍ର ସରକାର ତିନିଟି ସଂଶୋଧନ କରିଛନ୍ତି ।

ନୂଆ ଅଧ୍ୟାଦେଶରେ ସେହି ତିନିଟି ସଂଶୋଧନ ଯୋଡ଼ା ଯାଇଛି । ଏହି ଅଧ୍ୟାଦେଶ ଅନୁସାରେ ତିନି ତଲାକ ବ୍ୟବସ୍ଥା ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହେବ । ଯେଉଁମାନେ ସେମାନଙ୍କ ପତ୍ନୀଙ୍କୁ ତିନି ତଲାକ୍ ପଦ୍ଧତିରେ ଛାଡ଼ପତ୍ର ଦେବେ ସେମାନଙ୍କୁ ସର୍ବାଧିକ ୩ ବର୍ଷ ଯାଏଁ ଜେଲଦଣ୍ଡ ମିଳିବ । ପୂର୍ବ ବିଲ୍ ପରି ଏହି ଅଧ୍ୟାଦେଶରେ ମଧ୍ୟ ତଲାକ୍-ଇ-ବିଦ୍ଦତ୍ ଅବୈଧ ଘୋଷିତ ହୋଇଛି । ଯେଉଁମାନେ ତଲାକ୍-ଇ-ବିଦ୍ଦତ୍ ପ୍ରଥା ଅବଲମ୍ବନ କରିବେ ସେମାନଙ୍କୁ ମଧ୍ୟ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । ମୌଖିକ, ଟେଲିଫୋନ୍ ଓ ମୋବାଇଲ୍ ଫୋନ୍, ଏସ୍ଏମ୍ଏସ ଓ ହ୍ୱାଟସଆପ ଜରିଆରେ ତିନି ତଲାକ୍ ପ୍ରଥା ଏହି ଅଧ୍ୟାଦେଶ ଜରିଆରେ ବେଆଇନ ଘୋଷିତ ହୋଇଛି । ଛାଡ଼ପତ୍ର କ୍ଷେତ୍ରରେ ମୁସଲିମ ମହିଳା ଓ ସେମାନଙ୍କ ପିଲାମାନଙ୍କୁ ଭରଣପୋଷଣ କ୍ଷତିପୂରଣ ମିଳିବ । ଅଧ୍ୟାଦେଶର ବ୍ୟବସ୍ଥା ଅନୁସାରେ ତିନି ତଲାକ୍ ପାଇଥିବା ମହିଳା କିମ୍ବା ତାଙ୍କର ରକ୍ତ ସଂପର୍କୀୟ କିମ୍ବା ବୈବାହିକ ସଂପର୍କୀୟମାନେ ଏନେଇ ଥାନାରେ ଅଭିଯୋଗ କରିପାରିବେ ।

ତିନି ତଲାକ୍ ଏକ ଜାମିନ ବିହୀନ ଅପରାଧ ଭାବେ ବିବେଚିତ ହେବ । ଥାନା ଏହି ମାମଲାରେ ଜାମିନ୍ ଦେଇପାରିବ ନାହିଁ । କେବଳ ମାଜିଷ୍ଟ୍ରେଟ୍ ଆବେଦନର ବିଚାର କରି ଜାମିନ ମଞ୍ଜୁର କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସୁପ୍ରିମକୋର୍ଟ ତିନି ତଲାକ୍ ବ୍ୟବସ୍ଥାକୁ ଅବୈଧ ଘୋଷିତ କରିବା ପରେ କେନ୍ଦ୍ର ସରକାର ଏ ସଂପର୍କୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟିର ସଦସ୍ୟ ଥିଲେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ।