କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ଜନଗଣନା ସମୟରେ ଜାତିଭିତିକ ଗଣନା ହେଉ ବୋଲି ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ବିଶେଷ କରି ସାମାଜିକ ଓ ଆର୍ଥିକ ଅନଗ୍ରସର ତଥା ପଛୁଆ ବର୍ଗଙ୍କୁ ସାମିଲ କରିବା ନେଇ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଥିଲା। ଗତ ୧୧ରେ ଏନେଇ ମଞ୍ଜୁରୀ ମିଳିଥିଲା। ତେଣୁ ବୁଧବାର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।

ଉଲ୍ଲେଖଯୋଗ୍ୟ, ଜନଗଣନାରେ ଏସଇବିସିଙ୍କ ସ୍ଵତନ୍ତ୍ର ଗଣନା କରିବା ଏବଂ ସେମାନଙ୍କୁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ନେଇ ରାଜନୀତି ଉଷ୍ମ ହୋଇ ଉଠିଛି। ଏହି କ୍ଷେତ୍ରରେ ରାଜ୍ୟ ସରକାର କିଛି କରିନଥିବା ବିଜେପି ଆରୋପ ଲଗାଇଛି। ଏହାର ପୂର୍ବରୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କଠାରେ ପୁଣି ଦୃଢ ଦାବି ଜଣାଇଛନ୍ତି।

ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଛୁପାଇ ରଖିବାର ଏକ ଉଦ୍ୟମ ବୋଲି ସେ ବର୍ଣ୍ଣନା କରିଛନ୍ତି ।