ଭୁବନେଶ୍ୱରରେ ସିଡିଏମଓ ସମ୍ମଳନୀ : ସ୍ବାସ୍ଥ୍ୟ ସେବାରେ ଅବହେଳା ଗ୍ରହଣୀୟ ନୁହେଁ- ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର : ସ୍ବାସ୍ଥ୍ୟସେବା ଏକ ମୌଳିକ ଅତ୍ୟାବଶ୍ୟକ ସେବା। ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ। ତଥାପି ଆମକୁ ଆହୁରି ଅଧିକ ଭଲକାର‌୍ୟ୍ୟ କରିବାକୁ ପଡ଼ିବ। ସେ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ମାନଙ୍କ ସହିତ ସମସ୍ତ ଡାକ୍ତର ଏବଂ ଅନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର‌୍ୟ୍ୟ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତିି। ସ୍ଥାନୀୟ ଏକ ହୋଟେଲରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସିଡିଏମ୍‌ଓମାନଙ୍କ ୨ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ଡା. ମେହେର୍ଦ୍ଦା ଯୋଗଦେଇ ଏହା କହିଥିଲେ। ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ଯେଉଁସବୁ ଯୋଜନା କରାଯାଇଛି ସେସବୁର ସଫଳତା ଦିଗରେ ସିଡିଏମ୍‌ଓମାନେ ନିଷ୍ଠାପର ଉଦ୍ୟମ କରିବାକୁ ଡା. ମେହେର୍ଦ୍ଦା ପରାମର୍ଶ ଦେଇଥିଲେ।

ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଗ୍ରଗତି ଏବଂ କାର‌୍ୟ୍ୟକାରିତାରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ମେହେର୍ଦ୍ଦା କହିଥିଲେ ଯେ, ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ଆମ ସମସ୍ତଙ୍କ ପାଇଁ ଆହ୍ବାନ। ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେବା ଦିଗରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟିଦେବା ଜରୁରୀ।

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ବିଭିନ୍ନ କାର‌୍ୟ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଜିଲାମାନଙ୍କୁ ସ୍ବାସ୍ଥ୍ୟସେବାର ବିଭିନ୍ନ କ୍ଷେତ୍ରରେ ଦିଆଯାଇଥିବା ଧାର‌୍ୟ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନେବାକୁ ପଣ୍ଡିତ କହିଛନ୍ତି। ସମ୍ମିଳନୀରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଡା. ବି. କେ. ବ୍ରହ୍ମା, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର‌୍ୟ୍ୟକ୍ରମର କ୍ଷମତା ସମ୍ପନ୍ନ କମିଟି ଅଧ୍ୟକ୍ଷ ଡା. ଟି.ପି. ଦାଶ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ସ୍ବପ୍ନେଶ୍ୱର ଗଡ଼ନାୟକଙ୍କ ସମେତ ସବୁ ଜିଲାର ସିଡିଏମଓ ଏବଂ ବିଭାଗୀୟ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।

ରାଜ୍ୟରେ ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା