ଶ୍ରୀମନ୍ଦିର ଭିତର କାଠ ନିକଟରେ ଲାଗିବ ସିସିଟିଭି

ପୁରୀ : ଏଣିକି ଶ୍ରୀମନ୍ଦିର ଭିତର କାଠ ନିକଟରେ ଲାଗିବ ସିସିଟିଭି । ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଏସପି ସାର୍ଥକ ଷଡ଼ଙ୍ଗୀ ଓ ଶ୍ରମନ୍ଦିର ପ୍ରଶାସକଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ଦୁଇଦିନ ତଳେ ମହାରାଷ୍ଟ୍ରର ଜଣେ ଭକ୍ତ, କମ୍ ଦକ୍ଷିଣା ଦେବାରୁ ତାଙ୍କୁ ଦୁଇଜଣ ସେବାୟତ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ । ଆଗରୁ ମଧ୍ୟ ସେବାୟତଙ୍କ ମାଡ଼ର ଶୀକାର ହୋଇଛନ୍ତି ଅନେକ ଭକ୍ତ । ତେବେ ଏଭଳି ଘଟଣାରେ ରୋକ୍ ଲଗାଇବାକୁ ଭିତର କାଠ ନିକଟରେ ସିସିଟିଭି ଲଗାଇବା ଜରୁରୀ ବୋଲି ଏସପି ପ୍ରସ୍ତାବ ଦେଇଛନ୍ତି ।

ସିସିଟିଭି ଲଗାଇବା ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇପାରେ । ଭକ୍ତଙ୍କ ସୁରକ୍ଷା ସହ ସେବାୟତଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ସିସିଟିଭି ନଜର ରଖିବ ବୋଲି ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି । ଯେଉଁ ସେବାୟତମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃ‌ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି । ସେପଟେ ରବିବାର ମହାରାଷ୍ଟ୍ର ଭକ୍ତଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ସେବାୟତ, ସୋମନାଥ ମେକାପ ମଦନ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି ଶ୍ରୀମନ୍ଦିର ଆଇନର ଧାରା ୨୧-ଖ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ନିଯୋଗ ପକ୍ଷରୁ ଦୁଇ ସେବାୟତଙ୍କୁ ମଧ୍ୟ ବାସନ୍ଦ କରାଯାଇଛି । ସେପଟେ ଶ୍ରୀମନ୍ଦିରରେ ସିସିଟିଭି ଲାଗିବା ପ୍ରସ୍ତାବକୁ ସବୁ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।