ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଶେଷରେ ବାତିଲ ହେଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ କରି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖାଯିବା ନେଇ କୁହାଯାଇଛି । ଯଦି ପରୀକ୍ଷା ହୁଏ ତେବେ ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଜଣାଇଦିଆଯିବ ବୋଲି ସୂଚନା ଦିଆଯାଇଛି । ସେ ଟୁଇଟ୍ କରି କହିଛନ୍ତି, ମେ ୪ରୁ ୧୪ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଗଲା। ସିବିଏସଇ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇ ଏହା ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ।
ସୂଚନା ଥାଉ କି ସମଗ୍ର ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ‘ସିବିଏସ୍‌ଇ’ ବୋର୍ଡ ପରୀକ୍ଷା ସ୍ଥଗିତ ଓ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ଆଉ ଏ ବାବଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ‘ସିବିଏସ୍‌ଇ’ ପରୀକ୍ଷା ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏବଂ ଅନ୍ୟ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ସିବିଏସଇ ବୋର୍ଡ ପରୀକ୍ଷା କରା ନ ଯିବାକୁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଥିଲେ।
ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ ବୋର୍ଡ ପରୀକ୍ଷା କରାଇବା ବିପକ୍ଷରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱର ଉତ୍ତୋଳନ କରିବା ପରେ ‘କ୍ୟାନ୍‌ସଲ୍‌ ବୋର୍ଡ ଏକ୍ଜାମ୍‌ସ୍‌ ୨୦୨୧’ ହାସ୍‌ଟ୍ୟାଗ୍‌ ମଧ୍ୟ ଟୁଇଟର୍‌ରେ ଟ୍ରେଣ୍ଡିଙ୍ଗ୍‌ ହୋଇଥିଲା । ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛନ୍ତି ।

cbse board 10th exam cancelled