ସମନ ବନାମ ସମନ : ବିଜେଡି – ବିଜେପି ମୁହାଁ ମୁହିଁ, ଜୋର ଧରୁଛି ରାଜନୀତି

ଭୁବନେଶ୍ବର  : ବିଜେଡି ନେତାଙ୍କୁ ସିବିଆଇ ସମନ ହୋଇନି ବୋଲି କହୁଥିଲା ବିଜେଡି ।  ଆଜି କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ସମନ ପାଇଛନ୍ତି ଏବଂ ଖୁବଶୀଘ୍ର ସେ ସିବିଆଇରେ ହାଜର ହେବେ । 

ସିବିଆଇ ତନାଘନା ପରେ ଓଡିଶା ପୋଲିସର ରାଡାର ଏବେ ବିଜେପି ନେତାଙ୍କ ଉପରେ । ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କିଛି ବିଜେପି ନେତାଙ୍କୁ ଛନ୍ଦିବାକୁ ପୋଲିସ ସଜବାଜ ହେଉଛି । ଯାହାକୁ ନେଇ ବିଜେପି-ବିଜେଡି ଭିତରେ ଛକାପଞ୍ଝା ବଢିଯାଇଛି ।

ଖୁବ୍ ଶିଘ୍ର ସିବିଆଇ ଆଗରେ ହାଜରେ ହେବି । ମୋର ମଧ୍ୟ ଉତ୍କଣ୍ଠା ବଢୁଛି ଯେ ସିବିଆଇ କଣ ପଚାରିବ । ଦୀର୍ଘ ସାଢେ ୪ ବର୍ଷ ପରେ ସିବିଆଇ କାହିଁକି ମତେ ଡାକିଛି ତାହା ଜାଣିବାକୁ ଆଗ୍ରହୀ । ଏକଥା କହିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ସି ସୋର ଚିଟଫଣ୍ଡ ସ୍କାମ ଲିଙ୍କରେ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ସମନ ପଠାଇବା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଅରୁଣ ।

ଅରୁଣ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେବା ପଛରେ ତାଙ୍କୁ ସିବିଆଇରର ବାରମ୍ବାର ସମନ ବୋଲି କୁହାଯାଉଛି । ଯେହେତୁ ବ୍ୟକ୍ତିଗତ ହାଜରା ପାଇଁ ସିବିଆଇ କହିଛି ତେଣୁ ଅରୁଣ ସିବିଆଇ ଆଗରେ ହାଜର ହୋଇ ତାଙ୍କ ପକ୍ଷ ରଖିବାକୁ ମନସ୍ଥିର  କରିଛନ୍ତି ।

ସିବିଆଇ ବିଜେଡି ନେତାଙ୍କୁ ବାନ୍ଧିବାକୁ ସଜବାଜ ହେଉଥିବା ବେଳେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କିଛି ବିଜେପି ନେତାଙ୍କୁ ଉଠାଇବାକୁ ଯୋଜନା କରିଛି ଓଡିଶା ପୋଲିସ। ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଏଥିପାଇଁ ସମନ କରାଯାଇଛି। ଏମିତିକି ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛନ୍ଦିବାକୁ ମଧ୍ୟ ଯୋଜନା ହେଉଥିବା ଚର୍ଚା ହେଉଛି। ସେପଟେ କଂଗ୍ରେସ କହିଛି ବହୁ ଆଗରୁ ସିବିଆଇ ଆକ୍ଟିଭ ହେବାର ଥିଲା । ଚିଟଫଣ୍ଡ ଦୁର୍ନିତିରେ ଛନ୍ଦି ହୋଇଥିବା ଅନେକ ବିଜେଡି ନେତାଙ୍କୁ ସିବିଆଇ ବାନ୍ଧିପାରେ ବୋଲି ଚର୍ଚା ଚାଲିଛି ।