ଚିଦାମ୍ବରମଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରଙ୍କ ଘରେ ସିବିଆଇ ରେଡ୍‍। ଦିଲ୍ଲୀ ସ୍ଥିତ ଚିଦାମ୍ବରମଙ୍କ ବାସଭବନରେ ରେଡ୍‍ କରିଛନ୍ତି ସିବିଆଇର ୫ରୁ ୬ ଅଫିସର। କିନ୍ତୁ ସେହି ସମୟରେ ଚିଦାମ୍ବରମ ଘରେ ଉପସ୍ଥିତ ନଥିବାରୁ ସିବିଆଇ ଅଫିସରଙ୍କୁ ଫେରିଆସିବାକୁ ପଡିଥିଲା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିବାପରେ ସିବିଆଇ ଟିମ୍‍ ଚିଦାମ୍ବରମଙ୍କ ଘରେ ପହଞ୍ଚିଥିଲେ। ଏଠାରେ ସୂଚନାଯୋଗ୍ୟ ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ମାମଲାରେ ଫସିଯାଇଥିଲେ ଚିଦାମ୍ବରମ। ଆଇଏନଏକ୍ସ ମିଡିଆକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡରେ ଅବୈଧ ରୂପେ ସ୍ୱୀକୃତି ଦେବାପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଆରୋପ ଲାଗିଛି ଏବଂ ଏହି କେସରେ ଚିଦାମ୍ବରମଙ୍କୁ କୋର୍ଟରୁ ୨୪ ଥର ଅନ୍ତରୀଣ ଜାମିନ ମିଳିସାରିଛି। ଏହି କେସରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ବିରୋଧ କରିଆସୁଛନ୍ତି କାରଣ ଦେଶର ଏହି ଦୁଇ ଯାଞ୍ଚ ସଂସ୍ଥା ଚିଦାମ୍ବରମଙ୍କୁ ନିଜ ହେପାଜତକୁ ନେଇ ଜେରା କରିବାକୁ ଚାହୁଁଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କ ଗିରଫ ହେବା ସମ୍ଭାବନା ବଢିଯାଇଛି।