ଆଇଏନଏକ୍ସ ମିଡିଆ: ଚିଦାମ୍ବରମଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବ ସିବିଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ନାଁରେ ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବ। ବର୍ତ୍ତମାନ ଏହି ମାମଲାରେ ଚଦାମ୍ବରମ ତିହାର ଜେଲରେ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ସେପ୍ଟେମ୍ବର ମାସ ୩ୟ ସପ୍ତାହରେ ଚାର୍ଜଶିଟ୍‌ ଦାଖଲ କରିବ। ଏହି ଚାର୍ଜଶିଟ୍‌ରେ ଚିଦାମ୍ୱରମଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଚିଦାଙ୍କ ବ୍ୟତୀତ ଚାର୍ଜଶିଟ୍‌ରେ ଅନ୍ୟ ୧୦ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବ।

ଏଥିରେ ଆଇଏନଏକ୍ସ ମିଡିଆ ଡିଲ୍‌ରେ ସାମିଲ ଥିବା କିଛି କମ୍ପାନୀଙ୍କ ନାଁ ମଧ୍ୟ ରହିବ। ଯଦି ସିବିଆଇ ଚାର୍ଜଶିଟ୍‌ ଦାଖଲ କରୁଛି, ତା’ହେଲେ ସେପ୍ଟେମ୍ବର ୧୯ ପରେ ଜାମିନ୍‌ ପାଇଁ ଆଶା ରଖିଥିବା ଚିଦାମ୍ବରମଙ୍କୁ ଏହା ଆଉ ମିଳି ନପାରେ।

ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶ ପୁଞ୍ଜି ନିବେଶ ପାଇଁ ସମସ୍ତ ପ୍ରକାରର ଗଳାବାଟ ପ୍ରସ୍ତୁତ କରିଥିଲେ। ଅଗଷ୍ଟ ୨୧ରେ ସିବିଆଇ ତାଙ୍କୁ ଗିରଫ କରି ଏସମ୍ପର୍କରେ ଜେରା କରିଥିଲା।

ଗତ ଗୁରୁବାର ୧୫ ଦିନିଆ ରିମାଣ୍ଡ ସରିବାରୁ ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ତିହାର ଜେଲକୁ ସେପ୍ଟେମ୍ବର ୧୯ ଯାଏ ପଠାଇ ଦେଇଛନ୍ତି। ସିବିଆଇ ରିମାଣ୍ଡରେ ଥିବାବେଳେ ଚିଦାଙ୍କୁ ତଦନ୍ତକାରୀ ସଂସ୍ଥା ପାଖାପାଖି ୪୫୦ଟି ପ୍ରଶ୍ନ ପଚାରିଥିଲା।

ଏହାବାଦ୍‌ ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ସଚିବ ସିଦ୍ଧୁଶ୍ରୀ ଖୁଲାର ଓ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନାଙ୍କୁ ମଧ୍ୟ ଚିଦାଙ୍କ ସହ ମୁହାଁମୁହିଁ ଜେରା କରିଥିବା ଜଣାପଡ଼ିଛି।