ଆଇଏନଏକ୍ସ ମିଡ଼ିଆ: ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଆଜି ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜଶିଟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମେତ ସିବିଆଇ ୧୩ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।

ଚିଦାଙ୍କ ବ୍ୟତୀତ ଚାର୍ଜଶିଟରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ, ପିଟର ମୁଖାର୍ଜୀ, ଭାସ୍କର(କାର୍ତ୍ତିଙ୍କ ସହଯୋଗୀ), ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲାର, ଏମଏସଏମଇର ପୂର୍ବତନ ସଚିବ ଅନୂପ କେ ପୂଜାରୀ, ପୂର୍ବତନ ଉପ ସଚିବ ରବୀନ୍ଦ୍ର ପ୍ରସାଦ ଓ ପୂର୍ବତନ ନିର୍ଦ୍ଦେଶକ ପ୍ରବୋଧ ସକ୍ସେନାଙ୍କ ଭଳି ବ୍ୟକ୍ତିବିଶେଷ ରହିଛନ୍ତି।

ସେହିପରି ଆଇଏନଏକ୍ସ ମିଡିଆ, ଏଏସ୍‌ସିଏଲ ଓ ଚେଜ୍‌ ମ୍ୟାନେଜମେଣ୍ଟକୁ ମଧ୍ୟ ସିବିଆଇ ତା’ ଚାର୍ଜଶିଟ୍‌ରେ ଅଭିଯୁକ୍ତ ଭାବେ ଦଶାଇଛି।

ଏହି ସରକାରୀ ବାବୁମାନେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାଁରେ ଏହି ଚାର୍ଜଶିଟ୍‌ରେ ନାହିଁ। ତାଙ୍କୁ ସିବିଆଇ ରାଜସାକ୍ଷୀ କରିଥିବାରୁ ତାଙ୍କ ନାଁକୁ ଏଥିରେ ସାମିଲ କରି ନଥିବା ଜଣାପଡ଼ିଛି।

ପିଟର ଓ ଇନ୍ଦ୍ରାଣୀ ହିଁ ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ଲଗାଣ ପାଇଁ ଚିଦାମ୍ବରମଙ୍କ ସହ ଆଲୋଚନା କରିଥିବା ଅଭିଯୋଗ ହୋଇଥିଲା। ଚିଦା ନିଜ ପଦର ଅପବ୍ୟବହାର କରି ଏହାକୁ ମଞ୍ଜୁରୀ ଦେଇଥିବାରୁ ସିବିଆଇ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।

ପ୍ରଥମେ ଜେରା ଓ ସେପ୍ଟେମ୍ବର ୫ରୁ ଚିଦା ତିହାର ଜେଲରେ ଅଛନ୍ତି। ବୁଧବାର ଇଡି ଏହି ଘଟଣାରେ ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି।

ଆଜି ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍‌ ଉପରେ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ।