ଅର୍ଥତତ୍ୱ ଚିଟଫଣ୍ଡର ଚାର୍ଜସିଟ ଦାଖଲ, ଆଶୀର୍ବାଦ ଓ କମଳକାନ୍ତଙ୍କ ନାମ ସାମିଲ

ଭୁବନେଶ୍ୱର: ଗୁରୁବାର ଅର୍ଥତତ୍ୱ(ଏଟି) ଚିଟଫଣ୍ଡ ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ । ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ଏଥିରେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କ ନାମ ରହିଛି ।

ଚାର୍ଜସିଟରେ ଏହି ୨ ଜଣଙ୍କ ସହ ବ୍ୟବସାୟୀ ସମ୍ବିତ କୁମାର ଖୁଣ୍ଟିଆଙ୍କ ନାମ ମଧ୍ୟ ସାମିଲ ଅଛି । ଏଥିରେ ଦର୍ଶାଯାଇଛି ଯେ କିଭଳି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ସ୍ପୋନଶରସିପ ରଖି ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇ ଟଙ୍କା ବିନିଯୋଗ ପାଇଁ ମତାଯାଇଥିଲା । ଏପରିକି କମ୍ପାନୀ ପକ୍ଷରୁ ରଣଜୀ କ୍ରିକେଟ ମ୍ୟାଚ ଏବଂ ଓପିଏଲ ଟୁର୍ଣାମେଣ୍ଟ ପାଇଁ ସ୍ପୋନଶରସିପ ବାହାନାରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆଣି ଚଳୁ କରିଥିଲେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।

ଏହାସହିତ ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତଙ୍କ ସହ ମିଶି ସମ୍ବିତ କିଭଳି ଏଟି ଚିଟଫଣ୍ଡର ବିଭିନ୍ନ ଫାର୍ମ କମ୍ପାନୀରୁ ଟଙ୍କା ହେରଫେର କରିଛନ୍ତି ସେନେଇ ଚାର୍ଜସିଟରେ ମଧ୍ୟ ଉଲ୍ଲେଖ କରିଛି ସିବିଆଇ । ଏଥିସହ ପୂର୍ବରୁ ମଧ୍ୟ ୬ ଥର ଚାର୍ଜସିଟ ଫାଇଲ ହୋଇଛି । ଏଥିରେ ୩୩ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି ।

ତେବେ ୫୦୦ କୋଟିର ଏହି ଠକେଇ ପଛର ମାଷ୍ଟରମାଇଣ୍ଡ ତଥା କମ୍ପାନୀ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏବେ ଜେଲରେ ସଜା କାଟୁଛନ୍ତି ।