କେୟାର ହସ୍ପିଟାଲ୍‌ର ପାକିସ୍ତାନ ଲିଙ୍କ ନେଇ ଅଭିଯୋଗ;ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। କଂଗ୍ରେସ ବିଧାୟକ ତାର ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ତାରାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ବିଧାନସଭା ବାହାରେ ତାରା କହିଛନ୍ତି-“ରାଜ୍ୟ ସରକାର କେୟାର ହସ୍ପିଟାଲ୍‌କୁ ମାଗଣାରେ ୨୫ ଏକର ଜମି ଦେଇଛନ୍ତି। ସେହି ଜମିରେ ନିର୍ମାଣ ହୋଇଥିବା ହସ୍ପିଟାଲ୍‌ର ଲିଙ୍କ ପାକିସ୍ତାନରେ ରହିଛି। ପାକିସ୍ତାନରେ କିଡ୍‌ନୀ ଚୋରି କରି ଜେଲ୍‌ରେ ଥିବା ଦଲାଲ୍‌ ଏହି ହସ୍ପିଟାଲ କିଣିବା ପାଇଁ ଅଗ୍ରୀମ ଟଙ୍କା ଦେଇଛନ୍ତି। ଏଥିପାଇଁ କେୟାର ହସ୍ପିଟାଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାର ଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେୟାର ହସ୍ପିଟାଲ୍‌ କର୍ତ୍ତୃପକ୍ଷ କେମିତି ମାଲିକାନା ସତ୍ତ୍ୱ ଅନ୍ୟକୁ ବିକ୍ରି କରିଦେଲେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।”

ସେପଟେ ପାକିସ୍ତାନ ସହ କିଛି ଲିଙ୍କ୍ ନାହିଁ ବୋଲି ପ୍ରେସ୍ ରିଲିଜ୍ ଜାରି କରି ସଫେଇ ଦେଇଛି କେୟାର ହସ୍ପିଟାଲ। ପାକିସ୍ତାନ ବ୍ୟକ୍ତିଙ୍କ ମାଲିକାନାରେ ହସ୍ପିଟାଲ ଚାଲୁଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏଭଳି କୌଣସି ବ୍ୟକ୍ତିଙ୍କ ମାଲିକାନାରେ କେୟାର ହସ୍ପିଟାଲ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ହସ୍ପିଟାଲରେ କୌଣସି ସମସ୍ୟା ନାହିଁ, ଆମେ NOC ଆଣିଛୁ। ଅଯଥାରେ ବିବାଦ କରାନଯାଉ ବୋଲି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରଙ୍କ ନିର୍ଦ୍ଦେଶରେ ଆଜି ଏକ ଟିମ୍‌ କେୟାର ହସ୍ପିଟାଲ୍‌ରେ ରେଡ୍ କରିଛି। ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀଙ୍କ ତରଫରୁ ଏହି ଯାଞ୍ଚ କରାଯାଇଛି। ହସ୍ପିଟାଲର ମେଡିସିନ୍‌ ଷ୍ଟକ୍‌ ଓ ରୋଗୀଙ୍କ ବିଲ୍‌ ଆଦି ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି-“ବିରୋଧୀଙ୍କ ଅଭିଯୋଗକୁ ସମ୍ମାନ ଦେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ଆରମ୍ଭ ହୋଇଯାଇଛି। ଆଜି କେୟାରରେ ରେଡ୍‌ ହୋଇଛି। ତଦନ୍ତ ପରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”