ଆଜି ରଥରେ ହେବ ଆଜ୍ଞାମାଳ ବିଜେ ନୀତି

ପୁରୀ : ରଥଯାତ୍ରା ହେବ କି ନାହିଁ ସେ ନେଇ ଭକ୍ତମାନଙ୍କ ମଧ୍ୟରେ ଲାଗି ରହିଛି ଦ୍ୱନ୍ଦ୍ୱ । ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିଶନ ଦାଏର ହୋଇଛି।

ତେଣୁ ରଥଯାତ୍ରା ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । ବିଧି ମୁତାବକ ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌ ସୋମବାର ଆଜ୍ଞାମାଳ ବିଜେ ହେବେ କି ନାହିଁ ସେ ନେଇ ଯେଉଁ ଆଶଙ୍କା ରହିଥିଲା ତାହାକୁ ଦୂର କରିଛନ୍ତି ପରିଚାଳନା କମିଟିର ସେବାୟତ ପ୍ରତିନିଧି । ଭିତର ସେବାୟତ ନିଯୋଗରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟିର ୫ ସେବାୟତ ପ୍ରତିନିଧି କହିଛନ୍ତି, ସୋମବାର ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରିବେ। ଏହାପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ତିନିରଥ ଆସିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜ୍ଞାମାଳ ବିଜେ ପରେ ରଥ ନ ଗଡ଼ିଲେ ନୀତି ପ୍ରଭାବିତ ହେବା ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ସେବାୟତ ପ୍ରତିନିଧୀ ।