୧୫୦ ବିଶ୍ୱକର୍ମାଙ୍କର କୋଭିଡ ଟେଷ୍ଟ କରାଯିବ

ପୁରୀ: ଗତ କାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରଥ ନିର୍ମାଣ ପାଇଁ ଅନୁମତି ଦିଆଯିବା ପରେ ଆଜିଠାରୁ ଚଳଚଂଚଳ ହୋଇଉଠିଛି ରଥଖଳା । ଆଜିଠାରୁ ବଡ଼ ଦାଣ୍ଡରେ ଥିବା ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ନିର୍ମାଣ ବେଳେ କେନ୍ଦ୍ର ସରକାରଙ୍କ ଲକଡାଉନ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କ୍ରିଷନ୍ କୁମାର କହିଛନ୍ତି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଯେପରି ନିରାପଦରେ ହୋଇପାରିବ, ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ରଥ କାମରେ ନିୟୋଜିତ ପ୍ରାୟ ୧୫୦ ବିଶ୍ୱକର୍ମାଙ୍କର କୋଭିଡ୍ ଟେଷ୍ଟ ସହିତ  ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ ଭକ୍ତ ନିବାସରେ ରଖାଯାଇ ବସ ଯୋଗେ ରଥ ଖଳାକୁ ନିଆଯିବ । ସେମାନଙ୍କ ଖାଦ୍ୟପେୟ କଥା ମଧ୍ୟ ସରକାର ବୁଝିବେ । ପ୍ରାୟ ୨୦୦ ଫୁଟ ନିଷିଦ୍ଧାଂଚଳରେ ରଥ ନିର୍ମାଣ କାର୍ଯ୍ୟ ହେବ । ଉଭୟ ପକ୍ଷଙ୍କ ଆଲୋଚନା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।